ପୁଣେ,୪।୭: ଏମ୍ପିଏସ୍ସି ଫାଇନାଲ ଇଣ୍ଟରଭ୍ୟୁରେ ବିଳମ୍ବ ହେବାରୁ ଡିପ୍ରେଶନର ଶିକାର ହୋଇଥିବା ଜଣେ ୨୪ ବର୍ଷୀୟ ପ୍ରଶାସନିକ ସେବା ଆଶାୟୀ ଶେଷରେ ଆତ୍ମହତ୍ୟା କରିଛନ୍ତି। ପୁଣେର ହାଦାପସାର ଅଞ୍ଚଳରେ ଘଟିଛି ଏଭଳି ଘଟଣା। କୋଭିଡ୍-୧୯ ମହାମାରୀ କାରଣରୁ ମହାରାଷ୍ଟ୍ର ପ୍ରଶାସନିକ ସେବା ପରୀକ୍ଷା ହୋଇପାରି ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ସିଭିଲ ଇଞ୍ଜିନିୟର ଡିପ୍ଲୋମା ଧାରୀ ସ୍ବପ୍ନିଲ ଲୋଙ୍କର ୨୦୧୯ରେ ମହାରାଷ୍ଟ୍ର ଲୋକ ସେବା କମିଶନର ପ୍ରିଲିମିନାରୀ ଓ ମେନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଅପେକ୍ଷା କରିଥିଲେ ଫାଇନାଲ ଇଣ୍ଟରଭ୍ୟୁକୁ। ୨୦୨୦ ପ୍ରିଲିମିନାରୀ ପରୀକ୍ଷାରେ ମଧ୍ୟ ସେ ଉତ୍ତୀର୍ଣ୍ଣ ହୋଇଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।
ସେ ଛାଡ଼ି ଯାଇଥିବା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ କରିଛନ୍ତି, ଇଣ୍ଟରଭ୍ୟୁରେ ବିଳମ୍ବ ହେବାରୁ ବିଭିନ୍ନ ପ୍ରକାର ନାକାରତ୍ମକ ଚିନ୍ତା ତାଙ୍କ ମନକୁ ଆସୁଥିଲା। ତାଙ୍କୁ ଘାରି ଥିଲା ଏମ୍ପିଏସ୍ସି ଲାଗି ଧାର୍ଯ୍ୟ ବୟସ ସୀମା ଟପି ଯିବାର ଭୟ। ପରିବାର ବର୍ଗ ତାଙ୍କ ପାଇଁ ବେଶ୍ ଆଶାବାଦୀ ଥିଲେ। ଏଥିଯୋଗୁ ସେ ଡିପ୍ରେଶନର ଶିକାର ହୋଇଥିଲେ।