କୋଭିଡ୍‌ ମୃତ୍ୟୁ ଦେଢ଼ କୋଟି

ଜେନେଭା,୬ା୫:କୋଭିଡ୍‌ ମହାମାରୀରେ ୨୦୨୦ ଏବଂ ୨୦୨୧ରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ବିଭିନ୍ନ ଦେଶ ଦେଇଥିବା ତଥ୍ୟ ଠାରୁ ଏହି ସଂଖ୍ୟା ପ୍ରାୟ ୩ ଗୁଣ ଅଧିକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ୨ ବର୍ଷରେ ଘଟିଥିବା ସାଧାରଣ ମୃତ୍ୟୁଠାରୁ ଏହା ୧୩ % ଅଧିକ। ବହୁ ଦେଶ ବାସ୍ତବ କୋଭିଡ୍‌ ମୃତ୍ୟୁ ତଥ୍ୟ ଲୁଚାଇଥିବାରୁ ଅଦ୍ୟାବଧି ତାହା ମାତ୍ର ୫୪ ଲକ୍ଷ ରହିଛି। ୨୦୨୦ ଜାନୁୟାରୀ ୧ରୁ ୨୦୨୧ ଡିସେମ୍ବର ୩୧ ମଧ୍ୟରେ କୋଭିଡ୍‌ରେ ପ୍ରତ୍ୟକ୍ଷ ଓ ପରୋକ୍ଷ ମୃତ୍ୟୁ ସଂଖ୍ୟା ପ୍ରାୟ ଦେଢ଼ କୋଟି ହେବ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।
ସରକାରୀ ତଥ୍ୟ ଅନୁସାରେ ଭାରତରେ କୋଭିଡ୍‌ ମୃତ୍ୟୁ ପ୍ରାୟ ୫ ଲକ୍ଷ ଦର୍ଶାଯାଇଥିବାବେଳେ ବାସ୍ତବରେ ତାହା ପାଖାପାଖି ୧୦ ଗୁଣ ଅଧିକ ହେବ, ଯାହାକି ବିଶ୍ୱରେ ସର୍ବାଧିକ। ଡବ୍ଲ୍ୟୁଏଚ୍‌ଓ ଆକଳନ ଅନୁସାରେ ଭାରତରେ କରୋନା ମୃତ୍ୟୁ ୪୭ ଲକ୍ଷରୁ ଊର୍ଦ୍ଧ୍ୱ, ଯାହାକି ସାରା ବିଶ୍ୱରେ ଏହି ଭୂତାଣୁରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରାୟ ଏକ ତୃତୀୟାଂଶ। କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ ୫୭% ପୁରୁଷ ଏବଂ ୪୩% ମହିଳା ରହିଛନ୍ତି। ବିଶେଷ କରି ନିମ୍ନ ମଧ୍ୟମ ଆୟ ବର୍ଗର ଦେଶରେ ମୃତ୍ୟୁହାର ସର୍ବାଧିକ ରହିଛି। କୋଭିଡ୍‌ ମହାମାରୀ ସମୟରେ ଡାକ୍ତରଖାନାରେ ଭିଡ଼ ତଥା ଅନ୍ୟ ସୁବିଧା ଅଭାବରୁ ଚିକିତ୍ସାରୁ ବଞ୍ଚିତ ହୋଇ ପ୍ରାଣ ହରାଇଥିବା ଲୋକଙ୍କୁ ମଧ୍ୟ ଆକଳନରେ ସାମିଲ କରାଯାଇଛି। ଭୂତାଣୁରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୯୫ ଲକ୍ଷ ରହିଥିବାବେଳେ ପରୋକ୍ଷ ମୃତ୍ୟୁ ୫୪ ଲକ୍ଷ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ପ୍ରକୃତ ତଥ୍ୟଠାରୁ ଇଜିପ୍ଟରେ ୧୧.୬ ଗୁଣ, ଭାରତରେ ୯.୯ ଗୁଣ, ପାକିସ୍ତାନରେ ୮ ଗୁଣ ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। କେବଳ ଉତ୍ତରପୂର୍ବ ଏସିଆ, ୟୁରୋପ ଏବଂ ଆମେରିକାରେ ସାଧାରଣ ମୃତ୍ୟୁଠାରୁ କରୋନାଜନିତ ମୃତ୍ୟୁ ପ୍ରାୟ ୮୪%। ଏହା ଏକ ବିପର୍ଯ୍ୟୟ। ମୃତ୍ୟୁସଂଖ୍ୟା ଠିକ୍‌ ଭାବେ ଗଣନା କରା ନ ଗଲେ ଭବିଷ୍ୟତରେ ଏପରି ମହମାରୀର ମୁକାବିଲା କରିବା ନିମନ୍ତେ ଆମେ ପ୍ରସ୍ତୁତ ହୋଇପାରିବା ନାହିଁ ବୋଲି ଡବ୍ଲ୍ୟୁଏଚ୍‌ଓ ଡାଟା ଡିପାର୍ଟମେଣ୍ଟର ଡା. ସମୀରା ଆସ୍‌ମା କହିଛନ୍ତି।

Share