Categories: ଜାତୀୟ

ଏଣିକି ୭ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ରେ ରହିବେ ବିଦେଶ ଫେରନ୍ତା

ନୂଆଦିଲ୍ଲୀ,୭।୧: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ଭାରତ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ପୂର୍ବରୁ କେବଳ ଆଟ୍‌ ରିସ୍କ ଦେଶରୁ ଆସୁଥିବା ବିଦେଶ ଫେରନ୍ତାଙ୍କ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ବ୍ୟବସ୍ଥା ଥିଲା। ହେଲେ ଏବେ ସବୁ ବିଦେଶ ଫେରନ୍ତାଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି।

ଗାଇଡ୍‌ଲାଇନ୍‌ରେ କୁହାଯାଇଛି, ବିଦେଶ ଫେରନ୍ତାମାନେ ନେଗେଟିଭ ରିପୋର୍ଟ ଦେଖାଇଲେ ମଧ୍ୟ ଏୟାରପୋର୍ଟରେ ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ରିପୋର୍ଟ ନେଗେଟିଭ୍‌ ଆସିଲେ ମଧ୍ୟ ସେମାନଙ୍କୁ ୭ ଦିନ ବାଧ୍ୟତାମୂଳକ ହୋମ କ୍ୱାରେଣ୍ଟିନରେ ରହିବାକୁ ହେବ। ତେବେ ରିପୋର୍ଟ ପଜିଟିଭ୍‌ ଆସିଲେ ସରକାରୀ କ୍ୱାରେଣ୍ଟିନରେ ରହିବାକୁ ହେବ। ସେହିପରି ପଜିଟିଭ୍‌ ଚିହ୍ନଟ ହେଉଥିବା ବିଦେଶ ଫେରନ୍ତାଙ୍କ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯିବ। ଏହି ନୂଆ ନିୟମ ଜାନୁଆରୀ ୧୧ରୁ କାର୍ଯ୍ୟକାରୀ ହେବ।

୮ମ ଦିନ ସେମାନେ ପୁଣି ଆରଟି-ପିସିଆର ଟେଷ୍ଟ କରିବେ। ଏହି ଟେଷ୍ଟ ରିପୋର୍ଟକୁ ଭାରତ ସରକାରଙ୍କ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ୍‌ କରିବେ। ଏହାକୁ ସମ୍ପୃକ୍ତ ରାଜ୍ୟ ସରକାର ତଦାରଖ କରିବେ। ୮ମ ଦିନରେ ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ଆଉ ୭ ଦିନ ବିଦେଶରୁ ଆସିଥିବା ଲୋକଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ଆଇସୋଲେଶନ ପାଇଁ ଘରେ ସୁବିଧା ରହିଥିବା ଦରକାର। ସେତେବେଳେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ସମସ୍ତ ପ୍ରୋଟକଲକୁ ଅନୁପାଳନ କରିବାକୁ ପଡ଼ିବ ବୋଲି କୁହାଯାଇଛି।

Share