ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଏକ୍ସବିକୁ ସତର୍କ କଲା ଡବ୍ଲ୍ୟୁଏଚ୍‌ଓ: ଆସିପାରେ ଆଉ ଏକ ଲହର

ଜେନେଭା୨୧।୧୦: କୋଭିଡ-୧୯ ଭୂତାଣୁ ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଏକ୍ସବିକୁ ନେଇ ବିଶ୍ୱସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ଙ୍କ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ ସତର୍କ କରାଇଛନ୍ତି। କିଛି ଦେଶରେ ଓମିକ୍ରନର ଏକ୍ସଏକ୍ସବି ସବ୍‌ ଭାରିଏଣ୍ଟ ସଂକ୍ରମଣ ଯୋଗୁ କରୋନାର ଆଉ ଏକ ଲହର ଦେଖାଯାଇପାରେ ବୋଲି ଡା. ସ୍ବାମୀନାଥନ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ଓମିକ୍ରନର ୩୦୦ରୁ ଅଧିକ ସବ୍‌ଭାରିଏଣ୍ଟ ଅଛି। ତେବେ ଏକ୍ସଏକ୍ସବି ଭାରିଆଣ୍ଟ ଚିନ୍ତାର କାରଣ ବୋଲି କହିଛନ୍ତି। ଭୂତାଣୁର ଏହି ଭାରିଆଣ୍ଟ ଇମ୍ୟୁନ ସିଷ୍ଟମରୁ କୌଣସି ପ୍ରଭାବ ପଡୁ ନାହିଁ ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ବୈଜ୍ଞାନିକ କହିଛନ୍ତି। ଏଣୁ ଧିରେ ଧିରେ ଏକ୍ସବିବି ଯୋଗୁ କିଛି ଦେଶରେ ସଂକ୍ରମଣର ନୂଆ ଲହର ଆସିପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଏକ୍ସଏକ୍ସବି ଅଧିକ ସଂକ୍ରାମକ ତେଣୁ ଏହାର ମୁକାବିଲା ଲାଗି ମାସ୍କ ପିନ୍ଧିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁସାରେ ଓମିକ୍ରନ ସବ୍‌ ଭାରିଆଣ୍ଟ ଏବେ ସାରା ବିଶ୍ୱରେ ବ୍ୟାପୁଛି। ତେବେ ଭାରତରେ କୋଭିଡ ସଂକ୍ରମଣ ବର୍ତ୍ତମାନ ସମୟର ସବୁଠୁ ନିମ୍ନ ସ୍ତରରେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୦୬୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ତଥାପି ସତର୍କତା ଅବଲମ୍ବନ କରିବାକୁ ଡବ୍ଲ୍ୟୁଏଚ୍‌ଓ ବୈଜ୍ଞାନିକ କହିଛନ୍ତି।

Share