Categories: ଖେଳ

କୋଭିଡ୍‌ ସ୍ବାସ୍ଥ୍ୟକର୍ମୀ ଜିତିଲେ ସ୍ବର୍ଣ୍ଣ

ଟୋକିଓ, ୨୬ା୭ (ପି.ଟି.)-ଇରାନର ଜଣେ କୋଭିଡ୍‌ ସ୍ବାସ୍ଥ୍ୟକର୍ମୀ ଜାଭେଦ୍‌ ଫରୋଚି ଅଲିମ୍ପିକ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଚାମ୍ପିୟନ ହୋଇଛନ୍ତି। ଟୋକିଓ ଗେମ୍ସରେ ଅଂଶଗ୍ରହଣ କରିବା ଲାଗି ଆସିବା ପୂର୍ବରୁ ସେ ଏକ ହସ୍ପିଟାଲର କୋଭିଡ୍‌ ଓ୍ବାର୍ଡରେ ଜଣେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟକରୁଥିଲେ। ୪୧ ବର୍ଷୀୟ ଫରୋଚି ଶନିବାର ୨୪୪.୮ ପଏଣ୍ଟ ସହ ଅଲିମ୍ପିକ ରେକର୍ଡ କରି ସ୍ବର୍ଣ୍ଣ ଜିତିଛନ୍ତି। ଏହି ଇଭେଣ୍ଟର କ୍ୱାଲିଫିକେଶନରେ ଭାରତର ସୌରଭ ଚୌଧାରୀ ଶୀର୍ଷରେ ରହିବା ପରେ ୭ମ ସ୍ଥାନରେ ରହିଥିଲେ। ସେ କହିଛନ୍ତି ଅଲିମ୍ପିକ ଇତିହାସରେ ପିସ୍ତଲ ଓ ରାଇଫଲରେ ଚାମ୍ପିୟନ ହେବାରେ ଇରାନର ପ୍ରଥମ ଶୁଟର। ଏପରିକି ତାଙ୍କ ଦେଶରୁ ପୂର୍ବରୁ ଜଣେ କେହିହେଲେ ଏକ ବ୍ରୋଞ୍ଜ ଜିତିବାରେ ସକ୍ଷମ ହୋଇପାରି ନ ଥିଲେ। ସେ ସ୍ବର୍ଣ୍ଣ ଜିତିପାରିଥିବାରୁ ଖୁବ୍‌ ଆନନ୍ଦିତ ଅଛନ୍ତି। କୋଭିଡ୍‌ ମହାମାରୀ ସମୟରେ ଜଣେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବାରୁ ସେ ଲୋକମାନଙ୍କ ନିକଟରେ ବିଶେଷ ଜଣାଶୁଣା ନୁହନ୍ତି। ଗତବର୍ଷ ସେ କରୋନା ସଂକ୍ରମିତ ହୋଇଥିଲେ। ସୁସ୍ଥ ହେବାପରେ ସେ ପୁଣି ହସ୍ପିଟାଲ କାର୍ଯ୍ୟରେ ଯୋଗ ଦେଇଥିଲେ ଏବଂ ଅଲିମ୍ପିକ୍ସ ପାଇଁ ପୁଣି ଟ୍ରେନିଂ ଆରମ୍ଭ କରିଥିଲେ। ପରେ ସେ ଦ୍ୱିତୀୟ ଥର କରୋନା ସଂକ୍ରମିତ ହୋଇଥିଲେ। ଏଥିଯୋଗୁ ସେ ଏକମାସରୁ ଊର୍ଦ୍ଧ୍ୱ ସମୟ ଟ୍ରେନିଂ ଛାଡ଼ି ଦେଇଥିଲେ। ପରେ ସେ ପୁଣି ଅଲିମ୍ପିକ୍ସ ପାଇଁ ଟ୍ରେନିଂ ଆରମ୍ଭ କରିଦେଇଥିଲେ। ଏହି ଭେଟେରାନ ଶୁଟର ଚଳିତ ବର୍ଷ ଚମତ୍କାର ଫର୍ମରେ ଅଛନ୍ତି। ଜୁନ୍‌ରେ କ୍ରୋଏସିଆରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ସେ ସ୍ବର୍ଣ୍ଣ ଜିତିଥିଲେ। ମାର୍ଚ୍ଚରେ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱକପ୍‌ରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ।

Share