ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ପଡିଲା ମହଙ୍ଗା ୧୫୭ ଜଣ କରୋନାରେ ପୀଡ଼ିତ!

ବ୍ରସେଲସ,୨୭ ।୧୨: ଖ୍ରୀଷ୍ଟମାସରେ ସାନ୍ତା କ୍ଲଜଙ୍କଠାରୁ ଉପହାର ଗ୍ରହଣ କରିବାର ପରମ୍ପରା ରହିଛି । ହେଲେ ଚଳିତ ବର୍ଷ ଜଣେ କରୋନା ସଂକ୍ରମିତ ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ମହାଙ୍ଗା ପଡିଛି । ବେଲଜିୟମର ଏକ କେୟାର ହୋମରେ ଜଣେ ସାନ୍ତା ଉପହାର ବାଣ୍ଟିବା ପରେ ସେଠାକାର ପ୍ରାୟ ୧୨୧ଜଣ ଲୋକ ଓ ୩୬ ଜଣ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ, ୨ ସପ୍ତାହ ପୂର୍ବରୁ ସାନ୍ତା କ୍ଲଜ ନିଜର କେତେଜଣ ସାଥିଙ୍କ ସହ ବେଲିୟମର ଏଣ୍ଟୱର୍ପରେ ଥିବା କେୟାର ହୋମରେ ପହଞ୍ଚିଥିଲେ । ଏହାପରେ ଏଠାରେ ଜଣକ ପରେ ଜଣେ କରୋନାରେ ପୀଡ଼ିତ ହୋଇଥିବା ଦେଖାଯାଇଥିଲା । ଆଉ ପରେ ଏଠାକୁ ଆସିଥିବା ସାନ୍ତା ହିଁ ସୁପର ସ୍ପ୍ରେଡର ବୋଲି କୁହାଯାଇଛି । ଏମାନଙ୍କ ମଧ୍ୟରୁ ୨୪-୨୫ ତାରିଖରେ କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଏ । ଅନ୍ୟ ଜଣେ ଅକ୍ସିଜେନରେ ଥିବା କୁହାଯାଉଛି । ସୂଚନା ଅନୁଯାୟୀ, କେୟାର ହୋମ ଆସିବାର ୩ ଦିନ ପରେ ସାନ୍ତା କ୍ଲଜ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା । ସେଠାକାର ମେୟର କହିଛନ୍ତି ସାନ୍ତା କେୟାର ହୋମ ଯିବା ସମୟରେ ସମସ୍ତ କୋଭିଡ ନିୟମ ପାଳନ କରିଥିଲେ । ହେଲେ ପରେ କୁହାଯାଉଛି କି ଏଥିରେ କିଛି ବ୍ୟତିକ୍ରମ ଥିଲା । ସେ ଯାହାହେଉ ଆଗାମୀ ୧୦ ଦିନ କେୟାର ହୋମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମେୟର କହିଛନ୍ତି । ବେଲଜିୟମର ଜଣେ ଭାଇରୋଲୋଜିଷ୍ଟ କହିଛନ୍ତି ସାନ୍ତା କ୍ଲଜ ସହ କେୟାର ହୋମର ଭେଣ୍ଟିଲେଶନ ଠିକ୍ ନ ଥିବାରୁ ଏଠାରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିଗଲା ।

Share