କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗ: ଟ୍ରକ୍‌ ମାଲିକ ସଂଘ କର୍ମକର୍ତ୍ତାଙ୍କ ନାଁରେ ମାମଲା

ଲଖନପୁର,୨।୮(ଡି.ଏନ୍‌.ଏ) ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କୋଭିଡ୍‌ ୧୯ ନିୟମକୁ କଡାକଡି କରିଛନ୍ତି । ଏହାକୁ ଉଲ୍ଲଂଘନ କଲେ ଆଇନ ଅନୁଯାଇ ଦଣ୍ଡିତ ହେବା ନିୟମ ରହିଛି । ଏ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଶାସନ ସ୍ତରରେ ବିଭିନ୍ନ ସଚେତନତା କାଯର୍‌ୟକ୍ରମ କରାଯାଉଛି । ତଥାପି ଅମାନିଆମାନେ ନିୟମ ମାନୁନାହାନ୍ତି । ଅନେକ ସମୟରେ ନିୟମ ଉଲଙ୍ଘନକାରୀ ଦଣ୍ଡିତ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଘଟିଛି ଝାରସୁଗୁଡା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ। କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ଜିଲା ପ୍ରଶାସନ ତରଫରୁ ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ ବନ୍ଧବାହାଲ ମା’ ସମଲେଇ ଟ୍ରକ୍‌ ମାଲିକ ସଂଘର କର୍ମକର୍ତ୍ତାଙ୍କ ନାମରେ ବନହରପାଲି ଥାନାରେ ଶୁକ୍ରବାର ରାତିରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଶାସନର ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୧୧୪/୨୦) ରୁଜୁ କରି ତଦନ୍ତ ଚଳାଇଛି। ଜିଲା ପ୍ରଶାସନର ବିନାନୁମତିରେ ବନ୍ଧବାହାଲ ସ୍ଥିତ ବିଓସିଏମ୍‌ ଛକରେ ଥିବା ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟରେ ଟ୍ରକ୍‌ମାଲିକଙ୍କୁ ନେଇ ଗତ ଗୁରୁବାର ଏକ ବୈଠକ ହୋଇଥିଲା। ଏଥିରେ ଶତାଧିକ ଟ୍ରକ୍‌ ମାଲିକ ଉପସ୍ଥିତ ଥିଲେ। ଫଳରେ କୋଭିଡ୍‌ ନିୟମ ଉଲ୍ଲଂଘନ ହୋଇଥିଲା। ଏ ନେଇ ଜିଲା ପ୍ରଶାସନ ସଂଘର ୬ଜଣ କର୍ମକର୍ତ୍ତାଙ୍କ ସମେତ ଅନ୍ୟ ମାଲିକମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।