ଗାଁଗୁଡିକରେ ପୁଣି ସକ୍ରିୟ ହେବ କୋଭିଡ ପରିଚାଳନା କମିଟି: ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ଦିଆଯିବ ଦାୟିତ୍ୱ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଗାଁଗୁଡିକରେ ପୁଣି କୋଭିଡ ପରିଚାଳନା କମିଟି ସକ୍ରିୟ ହେବ। ତେବେ ସ୍ଥିତି ଦେଖି ଲକ୍‌ଡାଉନ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ। ସୋମବାର ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଏହା କହିଛନ୍ତି। ତେବେ ରାଜ୍ୟରେ ତିନି ଚାରି ଦିନ ମଧ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ନେଇ ସେ ଏଭଳି କହିଛନ୍ତି। ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବା ନେଇ ସେ ସୂଚନା ଦେଇଛନ୍ତି। ବିଭିନ୍ନ ବିଭାଗର ସଚିବ, ଜିଲାପାଳ ଓ ଏସ୍‌ପି ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏନେଇ ଆଲୋଚନା କରିବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ। ସେମାନେ ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ।
ସୂଚନାଯୋଗ୍ୟ, ସୋମବାର ରାଜ୍ୟରେ ୧୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରେ ୨୫ ଜଣ ଚିହ୍ନଟ ହୋଇଛନ୍ତି।

Share