କୋଭିଡ୍‌ ମେଡିକାଲ, ସିସିସିର ଅଗ୍ନି ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ

କଟକ ଅଫିସ,୭ା୮: ଗୁଜରାଟ୍‌ର ଅହମ୍ମଦାବାଦ୍‌ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ଜୀବନ ଯାଇଥିବାବେଳେ ପ୍ରାୟ ୫୦ଜଣ ଆହତ ହୋଇଛନ୍ତି। ଫଳରେ କୋଭିଡ୍‌ ହସ୍ପିଟାଲଗୁଡ଼ିକର ଅଗ୍ନି ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଛି। ଓଡ଼ିଶାରେ ୧୫୦ରୁ ଊର୍ଦ୍ଧ୍ୱ କୋଭିଡ୍‌ ହସ୍ପିଟାଲ ଏବଂ କୋଭିଡ୍‌ କେୟାର୍‌ ସେଣ୍ଟର୍‌ (ସିସିସି) ରହିଛି। ଏଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଏହି ହସ୍ପିଟାଲ ଓ ସେଣ୍ଟର୍‌ଗୁଡ଼ିକର ଅଗ୍ନି ନିରାପତ୍ତା ଉପରେ ପ୍ରଶ୍ନ ଉଠିବା ପରେ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ତରବରିଆ ଭାବେ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶାରେ ପ୍ରାୟତଃ ବଡ ବଡ ମେଡିିକାଲ୍‌କୁ କୋଭିଡ୍‌ ହସ୍ପିଟାଲରେ ପରିଣତ କରାଯାଇଛି। ସାଧାରଣତଃ ସେଠାରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ରହିଥାଏ। ହେଲେ ଅହମ୍ମଦାବାଦ୍‌ ଘଟଣା ପରେ ସରକାରଙ୍କ ଚେତା ପଶିବା ସହ କୋଭିଡ୍‌ କେୟାର୍‌ ସେଣ୍ଟର୍‌ଗୁଡ଼ିକର ସୁରକ୍ଷାକୁ ନେଇ ଅଧିକ ଚିନ୍ତା ବଢ଼ିଛି। କାରଣ ଏଗୁଡ଼ିକ ଅସ୍ଥାୟୀ ଭାବେ ଖୋଲାଯାଇଥିବାବେଳେ ଅଗ୍ନିନିରାପତ୍ତା ବ୍ୟବସ୍ଥା ବିଶେଷ ନାହିଁ। କେଉଁଠି ଶିକ୍ଷାନୁଷ୍ଠାନ ତ ଆଉ କେଉଠି ଖାଲି କୋଠାରେ କୋଭିଡ୍‌ କେୟାର୍‌ ସେଣ୍ଟର୍‌ ଖୋଲାଯାଇଛି। ଏପରି କି କଟକରେ ଷ୍ଟାଡିୟମ୍‌କୁ ସେଣ୍ଟର୍‌ରେ ପରିଣତ କରାଯାଇଛି। ଏଣୁ ଏଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଗୁରୁବାର ଅଗ୍ନିଶମ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି କହିଛନ୍ତି, ରାଜ୍ୟରେ ଥିବା କୋଭିଡ୍‌ ହସ୍ପିଟାଲ ଏବଂ କୋଭିଡ୍‌ କେୟାର୍‌ ସେଣ୍ଟର୍‌ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ। ସେଥିପାଇଁ ସହକାରୀ ଅଗ୍ନିଶମ ଅଧିକାରୀ ଏବଂ ଅତିରିକ୍ତ ଅଗ୍ନିଶମ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସିଠାରେ ତ୍ରୁଟି ଜଣାପଡ଼େ, ତେବେ ଏନେଇ ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରାଯିବ। ସର୍ବନିମ୍ନ କ’ଣ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ, ସେ ସଂକ୍ରାନ୍ତରେ ଅଧିକାରୀଙ୍କୁ ପରାମର୍ଶ ଦିଆଯିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯାଞ୍ଚ ସାରି ରିପୋର୍ଟ ଦେବାକୁ କୁହାଯାଇଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ପଦକ୍ଷେପ ନିଆଯିବ। ବର୍ତ୍ତମାନ ସାରା ରାଜ୍ୟରେ ଥିବା କୋଭିଡ୍‌ ହସ୍ପିଟାଲ ଏବଂ ସେଣ୍ଟର୍‌ଗୁଡ଼ିକରେ ନିୟମିତ ବିଶୋଧନ କରାଯାଉଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। କେଉଁଠି କ’ଣ ଅଛି, ତାହା ଆମକୁ ଜଣାଅଛି। ବିଭାଗ ତରଫରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅଗ୍ନିଶମ ମହାନିର୍ଦ୍ଦେଶକ ମହାନ୍ତି କହିଛନ୍ତି।

Share