କରୋନାର ପ୍ରକୋପ ଶେଷ ହୋଇ ନ ଥିବାବେଳେ ପୁଣି ଆତଙ୍କ ଖେଳାଇଲାଣି ନୂଆ ଭାରିଏଣ୍ଟ

ଲଣ୍ଡନ,୫।୮: କୋଭିଡର ପ୍ରକୋପ ଏ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଶେଷ ହୋଇନାହିଁ।୨୦୨୦ରେ ଆରମ୍ଭ ହୋଇଥିବା ଏହି ମହାମାରୀ ପ୍ରାୟ ତିନି ବର୍ଷ ପରେ ମଧ୍ୟ ଶେଷ ହେବାର ନାମ ନେଉନାହିଁ। ସମଗ୍ର ବିଶ୍ୱରେ କୋଭିଡ ଭାଇରସର ଅଲଗା ଅଲଗା ଭାରିଏଣ୍ଟ ବାହାରୁଛି। ଏହି ପର୍ଯ୍ୟାୟରେ, ବ୍ରିଟେନରେ ଏକ ନୂତନ କୋଭିଡ ଭାରିଏଣ୍ଟର ବିସ୍ତାର ବିଷୟରେ ସୂଚନା ସାମ୍ନାକୁ ଆସିଛି। ବ୍ରିଟେନର ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି ଏ ବିଷୟରେ ସୂଚନା ଦେଇଛି।

ବ୍ରିଟେନରେ ସାମ୍ନାକୁ ଆସୁଥିବା ପ୍ରତି ୭ଟି ମଧ୍ୟରୁ ଗୋଟିଏ ମାମଲା ଏହି ପ୍ରକାର ଭାରଏଣ୍ଟ ସହିତ ଜଡିତ। ବୈଜ୍ଞାନିକମାନେ ନୂତନ ପ୍ରକାରକୁ ଇଜି.୫.୧ ଭାବରେ ନାମିତ କରିଛନ୍ତି। ଇଜି.୫.୧ ଭାରିଏଣ୍ଟ କୋଭିଡର ଓମିକ୍ରନ ଭାରିଏଣ୍ଟରୁ ଉତ୍ପନ୍ନ। ୟୁକେଏଚ୍‌ଏସ୍‌ଏ କହିଛି ଯେ ନୂତନ ଭାରିଏଣ୍ଟର ଅଧିକାଂଶ ମାମଲା ଏସିଆରେ ଦେଖାଯାଇଛି । ୩୧ ଜୁଲାଇରେ ବ୍ରିଟେନରେ ଇଜି.୫.୧ ଏକ ନୂତନ ଭାରିଏଣ୍ଟ ଭାବରେ ପଞ୍ଜୀକୃତ ହୋଇଥିଲା।

ସ୍କାଏ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଜୁଲାଇ ୧୦ରୁ ଆରମ୍ଭ ହୋଇଥିବା ସପ୍ତାହରେ, ପ୍ରଥମ ୯ଟି ମାମଲା ମଧ୍ୟରୁ ପ୍ରତ୍ୟେକଟି ମାମଲା ଇଜି.୫.୧ ଭାରିଏଣ୍ଟ ସହିତ ଜଡିତ ଥିଲା । ନୂତନ ତଥ୍ୟ ଦର୍ଶାଏ ଯେ ଏହା ବ୍ରିଟେନର ମୋଟ ନୂତନ କୋଭିଡ ମାମଲାର ୧୪.୬% ଅଟେ । ନୂତନ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ଏହି କାରଣରୁ କୋଭିଡ ମାମଲା ବୃଦ୍ଧି ପାଉଛି।

Share