ବିଶେଷଜ୍ଞଙ୍କ ଦାବି ସବୁଦିନ ପାଇଁ ରହିବ ନାହିଁ କରୋନା, ଖୁବଶୀଘ୍ର ହେବ ଶେଷ

ୱାଶିଂଟନ,୧୬ ।୧: ସାରା ବିଶ୍ୱ କରୋନା ମହାମାରୀର ନୂଆ ନୂଆ ଭାରିଏଣ୍ଟକୁ ଦେଖି ସାରିଲାଣି । ଏହାର ଭୟାବହତାକୁ ବି ଅଙ୍ଗେ ଲିଭାଇଲାଣି । କରୋନା ସବୁକ୍ଷେତ୍ରରେ ପ୍ରଭାବ ପକାଇ ସାରିଲାଣି । ଫଳରେ ଲୋକେ ବହୁ ସମସ୍ୟାର ସାମ୍ନା କଲେଣି । ଏହା ସହ ଭାରତ ୧୬ ଜାନୁୟାରୀ ୨୦୨୧ରେ କରୋନା ବିରୋଧରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏକ ବର୍ଷ ମଧ୍ୟରେ ୧୫୭ କୋଟି ଡୋଜ ଟିକା ଦେଇ ଏକ ରେକର୍ଡ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।
ଇତିମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ୱାଶିଂଟନର ବୈଜ୍ଞାନିକ ତଥା ଭାଇରୋଲୋଜିଷ୍ଟ ଡା. କୁତୁବ ମେହେମ୍ମୁଦ ଗଣମାଧ୍ୟମକୁ କହିଛନ୍ତି କରୋନା ବିରୋଧରେ ଟିକାକରଣ ସବୁଠାରୁ ବଡ ଓ ମଜଭୁତ ଅସ୍ତ୍ର । ମହାମାରୀ ସବୁଦିନ ପାଇଁ ରହିବ ନାହିଁ । ଏବେ ଏହା ଶେଷ ହେବାର ସମୟ ଆସିଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ସତରଞ୍ଜ ବା ଏହି ଚେସ ଖେଳରେ କେହି ବିଜେତା ନୁହେଁ । ଏବେ ଏହା ଡ୍ର ହେବାକୁ ଯାଉଛି । ଯେଉଁଠି ଭାଇରସ ଲୁଚିଯିବ ଓ ଆମେ ବାସ୍ତବରେ ବିଜୟି ହେବା । ଏହାପରେ ଫେସମାସ୍କରୁ ଆମକୁ ଛୁଟି ମିିଳିଯିବ । ଏପଟେ ଗୋଟିଏ ବର୍ଷ ମଧ୍ୟରେ ୬୦ ପ୍ରତିଶତ ଟିକାକରଣ କରାଯାଇଥିବାରୁ ସେ ଭାରତର ପ୍ରଶଂସା କରିଛନ୍ତି ।
ଡା. କୁତୁବ ମେହେମ୍ମୁଦ କହିଛନ୍ତି ଆମେ ମହାମାରୀର ଶେଷ ପର୍ଯ୍ୟାୟରେ ଖୁବ୍‌ଶୀଘ୍ର ପହଞ୍ଚିଯିବା । ସେଥିପାଇଁ ସେ ଆଶା କରିଛନ୍ତି ଆମେ ଯେତେଶୀଘ୍ର ବର୍ଷର ଆଗକୁ ଆଗକୁ ଯିବା ସେତେ ଶୀଘ୍ର ଆମେ ମହାମାରୀଠାରୁ ବାହାରକୁ ଆସିଯିବା । ଭାଇରସ ତା’ର ସ୍ୱରୂପ ବଦଳାଇ ଚାଲିଛି । ମଣିଷ ଦେହରେ ଅନୁକୂଳ ହେବାକୁ ବା ବଞ୍ଚି ରହିବାକୁ ମ୍ୟୁଟେସନ ତିଆରି କରିବାକୁ ଚେଷ୍ଟା କରିଥାଏ, ଯାହା ଫଳରେ ସେ ବଞ୍ଚି ରହିବ । ଏହା ହେଉଛି ମଣିଷ-ଭାଇରସ ମଧ୍ୟରେ ଏକ ଚେସ ଖେଳ ସଦୃଶ ।
ଚେସ ଖେଳର ଉଦାହରଣ ସେ ଏଇଥିପାଇଁ ଦେଇଛନ୍ତି ଯେ, ଭାଇରସ ତା’ର ଚାଲ ଚଳାଉଥିବା ବେଳେ ମଣିଷ ବି ତା’ର ଚାଲ ଚଳାଇଛି । ଆମ ପାଖରେ ରହିଛି ଛୋଟ ଛୋଟ ଚାଲ, ଯେମିତିକି ଫେସ ମାସ୍କ, ସାନିଟାଇଜର ଓ ସୋସିଆଲ ଡିଷ୍ଟାନସିଂ । ଏହାସହ ଟିକା, ଆଣ୍ଟିଭାଇରାଲ ଓ ଆଣ୍ଟିବଡି । ଏସବୁ ପରେ ଭାଇରସ ନିଶ୍ଚିତ ଭାବେ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ଡା. କୁତୁବ ମେହେମ୍ମୁଦ ଦାବି କରିଛନ୍ତି ।

Share