Categories: ଜାତୀୟ

ଗଙ୍ଗା କୂଳରେ ଲାଗିଛି ୪୦ ମୃତଦେହ

ପାଟଣା,୧୦।୫: କୋଭିଡ୍‌-୧୯ ବିଗାଡ଼ି ଦେଲାଣି ଉତ୍ତର ପ୍ରଦେଶର ସ୍ବାସ୍ଥ୍ୟ ଓ ଶବଦାହ ବ୍ୟବସ୍ଥା। ସ୍ଥିତି ବର୍ତ୍ତମାନ ଏତେ ଜଟିଳ ଯେ, ମୃତଦେହକୁ ଗଙ୍ଗା ନଦୀରେ ଭସାଇ ଦିଆଯାଉଛି। ବିହାର ଓ ଉତ୍ତର ପ୍ରଦେଶ ସୀମାନ୍ତ ଚାଉସା ଟାଉନ ଗଙ୍ଗା ନଦୀ କୂଳରେ ଡଜନ ମୃତଦେହ ଭାସୁଥିବାର ଦୃଶ୍ୟ ଡରାଇ ଦେଇଛି ଲୋକଙ୍କୁ।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ବିହାରର ଚାଉସା ଜିଲାର ମହାଦେବ ଘାଟରେ ପହଞ୍ଚିଥିଲେ ଜିଲା ଅଧିକାରୀ ଅଶୋକ କୁମାର। ସୋମବାର ସକାଳେ ଗଙ୍ଗା ନଦୀରେ ପ୍ରାୟ ୪୦ରୁ ୪୫ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। କିଛି ମୃତଦେହ ୫ରୁ ୭ ଦିନ ହେଲା ପାଣିରେ ରହି ରହି ସମ୍ପୂର୍ଣ୍ଣ ପଚିଯାଇଛି ବୋଲି ଅଧିକାରୀ କହିଛନ୍ତି। ମୃତଦେହ ଉତ୍ତର ପ୍ରଦେଶର କେଉଁଠାରୁ ଭାସି ଆସୁଛି, ତାହାର ତଦନ୍ତ ଚାଲିଛି। ମୃତଦେହଗୁଡ଼ିକ ବିହାରର ନୁହେଁ। କାରଣ ଏଠାରେ ମୃତଦେହକୁ ଭସା ଯିବାର ପରମ୍ପରା ନାହିଁ।

ଏଥି ଯୋଗୁ ଭାଜପା ଶାସିତ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଯାଇଛି ଦୋଷାରୋପର ପ୍ରକ୍ରିୟା। ରାଜ୍ୟରେ କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟାକୁ ଲୁଚାଇବାକୁ ଉଦ୍ୟମ କରାଯାଉଛି। ଆଉ ଏହା ତାହାର ପ୍ରମାଣ ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି।

Share