ବଞ୍ଚିଥିବା ସମୟରେ ମିଳିଲାନି ଭେଣ୍ଟିଲେଟର, ମୃତଦେହ ନେବାକୁ ମଧ୍ୟ ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଶ୍ମଶାନ ଗଲା ମୃତଦେହ

ପୁଣେ,୧୩ା୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସବୁଠୁ ଦୁଃଖଦାୟକ କଥା ହେଲା କରୋନା ଆକ୍ରାନ୍ତଙ୍କ ପ୍ରତି ଅମାନବୀୟ ବ୍ୟବହାର ପ୍ରଦର୍ଶନ କରାଯିବା। ପୁଣେରେ ଏମିତି ଜଣେ କରୋନା ଆକ୍ରାନ୍ତଙ୍କ ସହ ଘଟିଛି। ଏହି କରୋନା ଆକ୍ରାନ୍ତଙ୍କୁ ବଞ୍ଚିଥିବା ସମୟରେ ହସ୍ପିଟାଲରେ ଭେଣ୍ଟିଲେଟର ମିଳିଲାନି କି ଜୀବନ ଚାଲିଯିବା ପରେ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଆସିଲାନି। ଏପରିକି ଶ୍ମଶାନକୁ ନେବା ପାଇଁ ଚାରିକାନ୍ଧ ମଧ୍ୟ ମିଳିଲାନି। ଫଳରେ ମୃତଦେହକୁ ଟ୍ରଲିରେ ଶ୍ମଶାନକୁ ନେବାକୁ ପଡ଼ିଛି।
ପୁଣେ ଠାରୁ ୨୦ କିଲୋମିଟର ଦୂର ଖାନାପୁର ଗାଁର ଜଣେ ୪୦ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ପୁଣେସ୍ଥିତ ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ଭେଣ୍ଟିଲେଟର ଦରକାର ପଡ଼ିଥିଲା। ମାତ୍ର ସେଠାରେ ତାଙ୍କୁ ଭେଣ୍ଟିଲେଟର ମିଳି ନ ଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ମୃତଦେହ ନେବାକୁ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ ମଧ୍ୟ ତାହା ଆସି ନ ଥିଲା। ଶେଷରେ ମୃତଦେହକୁ ଟ୍ରଲିରେ ଶ୍ମଶାନକୁ ନେଇଥିଲେ ପରିବାର ଲୋକେ।

Share