Categories: ଜାତୀୟ

ହସ୍ପିଟାଲ ବେଡ୍‌ ନ ମିଳିବାରୁ ବିଧାନସଭା ଆଗରେ ବିକ୍ଷୋଭ

ବେଙ୍ଗାଲୁରୁ , ୬ା୫ : କୋଭିଡ୍‌-୧୯ ଯୋଗୁ ଦେଶର ବିଭିନ୍ନ ରାଜ୍ୟର ହସ୍ପିଟାଲରେ ବେଡ୍‌ ଅଭାବ ଦେଖାଦେଉଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ। ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ କୌଣସି ହସ୍ପିଟାଲରେ ବେଡ୍‌ ନ ମିଳିବାରୁ ତାଙ୍କ ପରିବାର ବର୍ଗ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ହସ୍ପିଟାଲ ବେଡ୍‌ ନ ମିଳିବାରୁ ଆମ୍ବୁଲାନ୍ସରେ ଥିବା ମହିଳା କରୋନା ଆକ୍ରାନ୍ତ ଓ ତାଙ୍କ ଝିଅ ବେଡ୍‌ ଖୋଜି ଖୋଜି ପହଞ୍ଚିଥିଲେ ବିଧାନ ସୌଧ ବିଲ୍ଡିଂରେ। ସେଠାରେ ପୋଲିସ ଅଟକାଇବାରୁ ଆକ୍ରାନ୍ତଙ୍କ ପରିବାର ବର୍ଗ ଧାରଣାରେ ବସିଥିଲେ। ଏହାପରେ ସେମାନଙ୍କ ସହ ସାମିଲ ହୋଇଥିଲେ ଯୁବ କଂଗ୍ରେସ ନେତା ନାଲାପଦ। ପ୍ରାୟ ଅଧ ଘଣ୍ଟା ପରେ ମୁଖ୍ୟ ସଚିବ ରବି କୁମାର ସରକାରୀ ଭିକ୍ଟୋରିଆ ହସ୍ପିଟାଲରେ ଆକ୍ରାନ୍ତଙ୍କ ପାଇଁ ଏକ ବେଡ୍‌ ବ୍ୟବସ୍ଥା କରାଇ ଦେଇଥିଲେ। ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଯୁବ କଂଗ୍ରେସ ନେତାଙ୍କୁ ପୋଲିସ ଗିରଫ କରିଥିଲା।

କୋଭିଡ୍‌-୧୯ର ଦ୍ୱିତୀୟ ଲହର ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ୧୦ ରାଜ୍ୟ ମଧ୍ୟରେ ରହିଛି କର୍ନାଟକ। ବୁଧବାର ରାଜ୍ୟରେ ୫୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରାୟ ଏହାର ଅଧା ଚିହ୍ନଟ ହୋଇଛନ୍ତି ରାଜଧାନୀର ବେଙ୍ଗାଲୁରୁରୁ।

Share