କୋଭିଡ୍‌ ହସ୍ପିଟାଲରୁ ଫେରାର କରୋନା ଆକ୍ରାନ୍ତ ଧରାପଡ଼ିଲେ : ୨ ଦିନ ହେଲା ଫେରାର ଥିଲେ

ନବରଙ୍ଗପୁର,୭।୭ (ବି.ପ୍ର.): ନବରଙ୍ଗପୁରସ୍ଥିତ କୋଭିଡ ହସ୍ପିଟାଲରୁ ଗତ ୫ ତାରିଖରେ କାନ୍ଥ ଡେଇଁ ଫେରାର ହୋଇଥିବା କରୋନା ଆକ୍ରାନ୍ତଙ୍କୁ ୨ ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ଜିଲା ପୋଲିସ ଧରିବାରେ ସକ୍ଷମ ହୋଇଛି। ତାକୁ ଧରିବା ପରେ ପୁଣିଥରେ ଉକ୍ତ କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା ଜାରି ରହିଛି। ଏ ନେଇ ନବରଙ୍ଗପୁର ଜିଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଉମରକୋଟ ବ୍ଲକ ଅଞ୍ଚଳର ଉକ୍ତ ବ୍ୟକ୍ତି ପ୍ରାତଃ ଭୋଜନ ସମୟରେ ହସ୍ପିଟାଲର କାନ୍ଥ ଡେଇଁ ଚମ୍ପଟ ମାରିଥିଲେ l ଏ ନେଇ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ, ଡାକ୍ତର ସନ୍ତୋଷ କୁମାର ନାଗ୍‌ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ l ସେମାବାର ବିଳମ୍ବିତ ରାତିରେ ଏସ୍‌ପି ନୀତିନ କୁଶଳକରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନବରଙ୍ଗପୁର ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଉମରକୋଟ ବ୍ଲକ ବେନୋରା ପଞ୍ଚାୟତ ଅନ୍ତର୍ଗତ ନିଜ ଘରୁ ଧରିବାରେ ସଫଳ ହୋଇଛି l ଫେରାର ହେବାପରେ ସେ କାହା ସସ୍ପର୍ଶରେ ଆସିଛନ୍ତି ସେ ନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

Share