ଫଙ୍ଗସ୍କୁ ଓଡ଼ିଆରେ କବକ କୁହାଯାଏ। ଏହା ଗୋଟିଏ ସୁବିଧାବାଦୀ ସୂକ୍ଷ୍ମ ଜୀବ। ଅନ୍ୟ ରୋଗରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଫଙ୍ଗସ୍ର ସଂଖ୍ୟା ବୃଦ୍ଧି ହୁଏ। ଏମାନେ ଓଦା ସ୍ଥାନରେ ରହିଥିବା ଜିନିଷ ଉପରେ ଉତ୍ପନ୍ନ ଶିଉଳି। କୋଭିଡ୍-୧୯ ରୋଗୀର ଦୁର୍ବଳତାର ସୁଯୋଗ ନେଇ ଆକ୍ରମଣ କରୁଥିବା ଫଙ୍ଗସ୍ର ନାମ ‘ମ୍ୟୁକରମାଇକୋସିସ୍’। ଏହାର ଜୀବକୋଷ ବାୟୁରେ ଭାସୁଥାଏ। ରୋଗୀର ନାକବାଟେ ଦେହରେ ପ୍ରବେଶ କରେ। କୋଭିଡ୍ ରୋଗୀ ବହୁଦିନ ଡାକ୍ତରଖାନାରେ ରହି ଆଣ୍ଟିବାୟୋଟିକ, ଷ୍ଟେରଏଡ୍ ସହିତ ନାକରେ ନଳୀ ସାହାଯ୍ୟରେ ଅମ୍ଳଜାନ ନିଏ। ଭୂତାଣୁ ଫୁସ୍ଫୁସ୍ରେ ପ୍ରଦାହ କରି ପୂଯ, ରକ୍ତ ଜମା କରିଦିଏ। ଫଳରେ ଅକ୍ସିଜେନ ବିଭିନ୍ନ ଅଙ୍ଗକୁ ଯାଇପାରେ ନାହିଁ। ରୋଗୀ ନିଃଶ୍ୱାସ ନେବାରେ କଷ୍ଟ ହୁଏ। ଭେଣ୍ଟିଲେଟର ଉପରେ ନିର୍ଭର କରେ। ରୋଗୀର ରୋଗ ପ୍ରତିରୋଧ କ୍ଷମତା ହ୍ରାସ ଘଟେ। ଏହାର ସୁଯୋଗ ନେଇ ମ୍ୟୁକରମାଇକୋସିସ୍ ଫଙ୍ଗସ୍ ସଂକ୍ରମଣ ହୁଏ ଓ ଅନେକ ଭୟଙ୍କର ଲକ୍ଷଣ ପ୍ରକାଶ ପାଏ। ନାକ ଓ ପାଟିର ତାଳୁ କଳା ପଡ଼େ। ସେଥିପାଇଁ ଏହାକୁ ‘କଳା ଫଙ୍ଗସ୍’ କୁହାଯାଏ।
କଳା କବକ ସଂକ୍ରମଣ ଗୋଟିଏ ବିରଳ ଓ ଗୁରୁତର ରୋଗ। ସାଧାରଣ କଥାବାର୍ତ୍ତାରେ ଏହାକୁ ‘ବ୍ଲାକ ଫଙ୍ଗସ୍’ କୁହାଯାଏ। ଭାରତର କେତେକ ରାଜ୍ୟରେ କୋଭିଡ୍-୧୯ ରୋଗୀଙ୍କଠାରେ ଏହା ଦେଖିବାକୁ ମିଳୁଛି। ପ୍ରଥମେ ଚର୍ମରେ ଦେଖାଯାଏ ଓ ପରେ ଫୁସ୍ଫୁସ୍ ଏବଂ ମସ୍ତିଷ୍କ ସଂକ୍ରମଣ କରେ। ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରେ କୋଭିଡ୍ ରୋଗୀଙ୍କଠାରେ ଏହି କବକ ସଂକ୍ରମଣ ହେବାର ପ୍ରମାଣ ସହିତ ଉପଦେଶାବଳୀ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟମାନଙ୍କୁ ଜାରି ହୋଇଛି।
କୋଭିଡ୍-୧୯ ରୋଗୀର କଳା କବକ ସଂକ୍ରମଣର ଲକ୍ଷଣଗୁଡ଼ିକ ହେଉଛି ନାକ ଓ ଆଖି ଚାରିପଟେ ଲାଲ ପଡ଼ି ବିନ୍ଧା ହେବା, ଜ୍ୱର- ମୁଣ୍ଡବିନ୍ଧା କାଶ ସହିତ ନିଃଶ୍ୱାସ ନେବାରେ କଷ୍ଟ ହେବା ଇତ୍ୟାଦି। ରକ୍ତ ବାନ୍ତି ହୋଇପାରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ରୋଗୀର ନିମ୍ନ ଲକ୍ଷଣଗୁଡ଼ିକ ଦେଖାଦେଲେ ‘ମ୍ୟୁକରମାଇକୋସିସ୍’ ସଂକ୍ରମଣ ସନ୍ଦେହ କରାଯିବ। (୧) ନାକ ଚୁଣ୍ଟି ହେବା, ପାଣି ବୋହିବା ଓ କଳା ଦେଖାଯିବା। (୨) ମୁହଁର ହାଡ଼ ବିନ୍ଧା ହେବା, ମୁହଁର ଗୋଟିଏ ପାଖରେ ଯନ୍ତ୍ରଣା ହେବା, ଫୁଲିବା ଓ ବଧିରା ଲାଗିବା। (୩) ଦାନ୍ତ ହଲିବା ଓ ତଳ ପାଟି ହାଡ଼ ବିନ୍ଧିବା। (୪) ଚର୍ମ ଲାଲ ପଡ଼ି କୁଣ୍ଡାଇ ହେବା। (୫) ଛାତିରେ ଯନ୍ତ୍ରଣା ଓ ନିଃଶ୍ୱାସ ନେବାରେ କଷ୍ଟ ହେବା। ଏହି ଫଙ୍ଗସ୍କୁ ଚିହ୍ନିବା ପାଇଁ ଉପଯୁକ୍ତ ତୁରନ୍ତ ପରୀକ୍ଷା ବାଞ୍ଛନୀୟ।
ମ୍ୟୁକରମାଇକୋସିସ୍ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଔଷଧ ସେବନ ଆବଶ୍ୟକ। ଅସ୍ତ୍ର ଚିକିତ୍ସା (ଅପରେଶନ) ମଧ୍ୟ କରାଯାଇପାରେ। ଡାଇବେଟିସ ରୋଗୀର ରକ୍ତ ଶର୍କରା ସ୍ବାଭାବିକ କରିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ଇନ୍ସୁଲିନ ଓ ବଟିକା ଦିଆଯିବା ଉଚିତ। ଷ୍ଟେରଏଡ୍ ଓ ଶରୀରର ଇମ୍ୟୁନ ସିଷ୍ଟମ୍କୁ ଦବେଇ ଦେବା ପାଇଁ ବ୍ୟବହୃତ ଔଷଧ ସେବନ ବନ୍ଦ କରିଦେବା ଅନିବାର୍ଯ୍ୟ। ଦେହର ଜଳୀୟ ଅଂଶ ସ୍ବାଭାବିକ ରଖିବା ପାଇଁ ସାଲାଇନ ଦେବା ଆବଶ୍ୟକ ପଡ଼ିବ। ଏହାର ଚାରି ସପ୍ତାହ ପରେ କବକ ମାରିବା ପାଇଁ ‘ଆମ୍ପୋଟେରିସିନ’ ଇଞ୍ଜେକ୍ସନ ଦିଆଯାଇ ପାରିବ। ଏହି ଫଙ୍ଗସ୍ ସଂକ୍ରମଣରେ ଉପର ଦାନ୍ତ ମାଢ଼ି ଓ ଆଖି ନଷ୍ଟ ହୋଇଯାଇପାରେ। ଖାଦ୍ୟ ଚୋବାଇବା ଓ ଗିଳିବାରେ କଷ୍ଟ ହୁଏ।
କଳା କବକ ଗୋଟିଏ ବିରଳ ରୋଗ। ରୋଗୀକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ ହେଉଛି, ଡାଇବେଟିସ, ଷ୍ଟେରଏଡ୍ ଔଷଧ ବ୍ୟବହାର, ବହୁଦିନ ଆଇସିୟୁରେ ରହିବା, ଅଙ୍ଗ ପ୍ରତିରୋପଣ ଓ କ୍ୟାନ୍ସର ଚିକିତ୍ସା ଇତ୍ୟାଦି। ଏହି ରୋଗରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞମାନଙ୍କ ଉପଦେଶ ହେଉଛି ମାସ୍କ ବ୍ୟବହାର କରିବା, ଜୋତା, ଫୁଲପ୍ୟାଣ୍ଟ ଓ ଶାର୍ଟ ସହିତ ଗ୍ଲୋଭ୍ସ ପିନ୍ଧି ବଗିଚା କାମ କରିବା। ଫଳରେ ମାଟିରେ ରହିଥିବା ଫଙ୍ଗସ୍ ଦେହରେ ପଶିପାରିବ ନାହିଁ। ଧୂଳି ଓ ମାଟି ସଂସ୍ପର୍ଶରେ ଆସିଲେ ବ୍ରସ ସାହାଯ୍ୟରେ ଦେହ ସଫା କରିବା। ଅବଶ୍ୟ ଜୀବାଣୁ ଜନିତ ରୋଗ ଅପସରି ଗଲାଣି, ଭୂତାଣୁ ଭୟାନକ ହେଲାଣି, ତାହା ସହିତ କଳା କବକ ଦାଉ ସାଧିଲାଣି। ଏଥିପାଇଁ ଔଷଧ ନାହିଁ। ପ୍ରତିଷେଧକ ବ୍ୟବସ୍ଥା ବାଞ୍ଛନୀୟ।
ଡା. ଦ୍ୱିଜେଶ କୁମାର ପଣ୍ଡା
-ନିଦାନ ଓ ଅଣୁଜୀବ ବିଶେଷଜ୍ଞ
୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ: ୯୪୩୮୪୭୦୭୭୭