ଭୁବନେଶ୍ୱର, କଟକକୁ ଆସି ପାରିବେ କୋଭିଡ୍‌ ରୋଗୀ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): କଟକ ଓ ଭୁବନେଶ୍ୱରରେ ଥିବା କୋଭିଡ୍‌ ହସ୍ପିଟାଲକୁ ରୋଗୀ ପଠାଇବା ନେଇ ସରକାର ବାରଣ କରିନାହାନ୍ତି। ସରକାର ଦ୍ୱୈତ ନଗରୀରେ ସୃଷ୍ଟି କରିଥିବା ଚିକିତ୍ସା ସୁବିଧା ସାରା ରାଜ୍ୟର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି। ସେ କହିଛନ୍ତି, କୌଣସି ଗୁରୁତର ରୋଗୀଙ୍କୁ କଟକ ଓ ଭୁବନେଶ୍ୱରରେ ଚିକିତ୍ସା ମନା ନାହିଁ। ଏଠାରେ ଚିକିତ୍ସା ହେବା ପାଇଁ ସମସ୍ତଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି।
ସେହିଭଳି କଟକ, ଭୁବନେଶ୍ୱରକୁ ବାହାର ଜିଲାର ରୋଗୀଙ୍କୁ ବ୍ୟାନ୍‌ ପ୍ରସଙ୍ଗରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ରୋଗୀମାନଙ୍କୁ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଓ ଅମ୍ଳଜାନ ଆଦି ସହାୟତା ସହ କଟକ ଓ ଭୁବନେଶ୍ୱରର ରେଫରାଲ ହସ୍ପିଟାଲ୍‌ ପଠାଇବା ପାଇଁ ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି। ଜଣେ ରୋଗୀ ଯେପରି ସୁରକ୍ଷିତ ଭାବେ ରେଫରାଲ ହସ୍ପିଟାଲରେ ପହଞ୍ଚତ୍ ପାରିବେ ସେ ବିଷୟରେ ଗୁରୁତ୍ୱ ଦିଆଯାଇଛି। ‘କ୍ରିଟିକାଲ ଚିକିତ୍ସା’ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ଏହାର ଉଦ୍ଦେଶ୍ୟ। ଆସିଲାବେଳେ ଯେପରି ରୋଗୀଙ୍କର ଅମ୍ଳଜାନ ଅଭାବ ନ ହୁଏ, ‘ହାଇପକସିଆ’ ନ ହୁଏ ଏସବୁ ବିଷୟରେ ଯତ୍ନବାନ ହେବା ପାଇଁ ଜିଲାସ୍ତରରେ କାର୍ଯ୍ୟରତ ଚିକିତ୍ସକ ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଆସିବାବେଳେ ରୋଗୀ ନିଜେ କେଉଁସବୁ ସତର୍କତା ଅବଲମ୍ବନ କରିବା ଦରକାର ତାହା ମଧ୍ୟ ସମ୍ପୃକ୍ତ ଡାକ୍ତର ଠିକ୍‌ ଭାବେ ବୁଝାଇବେ। ରୋଗୀଙ୍କୁ ଉପଯୁକ୍ତ ପ୍ରାରମ୍ଭିକ ଚିକିତ୍ସା ପରାମର୍ଶ ଓ ଉପଯୁକ୍ତ ବ୍ୟବସ୍ଥା ସହ ପଠାଇଲେ ରୋଗୀଙ୍କର ଅବସ୍ଥାରେ ବିଶେଷ ଅବନତି ହେବ ନାହିଁ ଏବଂ ତାଙ୍କ ଜୀବନ ରକ୍ଷାର ସମ୍ଭାବନା ବଢ଼ିବ ବୋଲି ମହାପାତ୍ର ସ୍ପଷ୍ଟ କରିଛନ୍ତି।

Share