ଦିଲ୍ଲୀରେ ପୁଣି ଡରାଇଲାଣି କରୋନା: ନୋଏଡାରେ ୧୪ଶିଶୁଙ୍କ ସମେତ ୭୦ପଜିଟିଭ୍‌

ନୂଆଦିଲ୍ଲୀ,୧୬।୪: ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆରରେ ପୁଣି ଥରେ କରୋନା ସଂକ୍ରମଣ ମୁଣ୍ଡ ଟେକିଲାଣି। ଦିଲ୍ଲୀ ନିକଟରେ ଥିବା ଗାଜିଆବାଦ ଓ ନୋଏଡାର ଅନେକ ସ୍କୁଲରେ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ସ୍କୁଲଗୁଡ଼ିକରେ ଅନ୍‌ଲାଇନ ଶିକ୍ଷା ଆରମ୍ଭ କରାଯାଇଛି। ଦିଲ୍ଲୀ ସହିତ ନୋଏଡାରେ ମଧ୍ୟ କରୋନା ପଜିଟିଭିଟି ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନୋଏଡାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୦ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୪ଜଣ ପିଲା ସାମିଲ ଅଛନ୍ତି। ସେମାନଙ୍କର ବୟସ ୧୮ ବର୍ଷରୁ କମ୍‌ ରହିଥିବା ଜଣାପଡ଼ିଛି। ଏହାକୁ ମିଶାଇ ନୋଏଡାରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇ ୨୩୭ରେ ପହଞ୍ଚିଛି। ସେହିପରି ନୋଏଡାରେ କରୋନା ସଂକ୍ରମିତ ଶିଶୁଙ୍କ ସଂଖ୍ୟା ମୋଟ ୫୮କୁ ବୃଦ୍ଧି ପାଇଛି। ଦିଲ୍ଲୀର ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ୧୪ ଜଣ କରୋନା ପଜିଟିଭ ପିଲା ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ୨୧୮ଜଣ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି। ଦିଲ୍ଲୀ-ଏନ୍‌ସିଆରରେ କରୋନା ଗ୍ରାଫ୍‌ ଉପରମୁହାଁ ହେବା ପରେ ରାଜ୍ୟ ସରକାରଙ୍କ ଏବେ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ଆବଶ୍ୟକ ପଡିଲେ କ୍ଲାସ ବନ୍ଦ କରିବାକୁ ସ୍କୁଲ ପ୍ରଶାସନକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ରାଜଧାନୀରେ କୋଭିଡ ସ୍ଥିତିର ସମୀକ୍ଷା କରିବା ପାଇଁ ଏପ୍ରିଲ ୨୦ରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ)ର ଏକ ବୈଠକ ଡକାଯାଇଛି। ବର୍ତ୍ତମାନ ସମୟରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି।

Share