Categories: ଖେଳ

ରୋହିତ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଲେ ଝିଅ: ଦେଖନ୍ତୁ ଭିଡିଓ

ଲଣ୍ଡନ,୨୯।୬: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏଜବାଷ୍ଟନ ଟେଷ୍ଟ ପୂର୍ବରୁ କରୋନା ସଂକ୍ରମିତ ହୋଇଛି। ରୋହିତ ଏବେ ଦଳ ଏବଂ ପରିବାର ସଦସ୍ୟଙ୍କଠାରୁ ଅଲଗା ଅଛନ୍ତି।  ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କ ଝିଅ ସମାଇରାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ଅସୁସ୍ଥ ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ କହୁଥିବାର ନଜର ଆସିଛନ୍ତି।
ଭିଡିଓରେ ସମାଇରା ମା’ ରିତିକାଙ୍କ ସହ ହୋଟେଲରେ ନଜର ଆସିଛନ୍ତି। ଏହି ସମୟରେ ଜଣେ ପ୍ରଶଂସକ ତାଙ୍କୁ ତାଙ୍କ ପିତାଙ୍କ ବିଷୟରେ ପଚାରିଥିଲେ। ପ୍ରଶଂସକ ସମାଇରାଙ୍କୁ ପଚାରିଥିଲେ, ପାପା କେଉଁଠାରେ ଅଛନ୍ତି। ଏହାର ଜବାବରେ ସେ କହିଛନ୍ତି ଯେ, ପାପା ତାଙ୍କ ରୁମ୍‌ରେ ଶୋଇଛନ୍ତି। ପାପା କୋଭିଡ ପଜିଟିଭ। ଜଣେ ହିଁ ସେହି ରୁମ୍‌ରେ ରହିପାରିବେ।
ରୋହିତ ଶର୍ମାଙ୍କ ବ୍ୟତୀତ ଇଂଲଣ୍ଡର ବିପକ୍ଷ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଅବଶ୍ୟ ଦୁହେଁ ଏବେ ସୁସ୍ଥ ଅଛନ୍ତି। ଦୁହେଁ ଲିସେଷ୍ଟରଶେୟାର ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଦଳରେ ଯୋଗ ଦେଇଥିଲେ। ରୋହିତ ଶର୍ମାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ଇଂଲଣ୍ଡ ପଠାଯାଇଛି। ଯଦି ରୋହିତ ଶର୍ମା ଏଜବାଷ୍ଟନ ଟେଷ୍ଟରେ ନ ଖେଳନ୍ତି, ତେବେ ମୟଙ୍କ ଶୁଭମନ ଗିଲଙ୍କ ସହ ଓପନିଂ କରିବେ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଜୁଲାଇ ୧ ରୁ ୫ ପର୍ଯ୍ୟନ୍ତ ଏଜବାଷ୍ଟନ ଠାରେ ଖେଳାଯିବ। ଏହି ମ୍ୟାଚ ଗତ ବର୍ଷ ଅନୁଷ୍ଠିତ ଟେଷ୍ଟ ସିରିଜର ଏକ ଅଂଶ। ୨୦୨୧ ଅଗଷ୍ଟ-ସେପ୍ଟେମ୍ବର ଟିମ ଇଣ୍ଡିଆ ଇଂଲଣ୍ଡରେ ପାଞ୍ଚ ଟେଷ୍ଟ ସିରିଜ ଖେଳୁଥିଲା। ତା’ପରେ କରୋନା କାରଣରୁ ପଞ୍ଚମ ମ୍ୟାଚ ଅନୁଷ୍ଠିତ ହୋଇପାରିଲା ନାହିଁ। ଚାରିଟି ଟେଷ୍ଟ ପାଇଁ ଭାରତ ୨-୧ରେ ଆଗୁଆ ରହିଥିଲା। ବର୍ତ୍ତମାନ ପଞ୍ଚମ ମ୍ୟାଚ ଏଜବାଷ୍ଟନ ଠାରେ ଅନୁଷ୍ଠିତ ହେବ।

Share