ଦିଲ୍ଲୀରେ ହଟିଲା ରାତ୍ରିକାଳୀନ କର୍ଫ୍ୟୁ: ବିଳମ୍ବିତ ରାତି ଯାଏ ଖୋଲିବ ରେଷ୍ଟୁରାଣ୍ଟ-ଦୋକାନ

ନୂଆଦିଲ୍ଲୀ,୨୫।୨: କରୋନାର ତୃତୀୟ ଲହର ମଧ୍ୟରେ ସାରାଦେଶରେ ଏବେ ସଂକ୍ରମଣ ମାମଲା ପୂର୍ବାପେକ୍ଷା ବହୁତ କମିବାରେ ଲାଗିଛି। ଲଗାତର ନୂଆ କରୋନା ମାମଲା ଓ ଆକ୍ଟିଭ ମାମଲା ହ୍ରାସ ପାଇବାରୁ ରାଜ୍ୟରେ ଲାଗୁ ହୋଇଥିବା କୋଭିଡ ପ୍ରତିବନ୍ଧକକୁ କୋହଳ କରାଯାଇଛି। ଇତିମଧ୍ୟରେ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ଏହି ନିଷ୍ପତ୍ତି ପରେ ଏବେ ଦିଲ୍ଲୀରେ ଲୋକମାନେ ବିଳମ୍ବିତ ରାତି ଯାଏ ରେଷ୍ଟୁରାଣ୍ଟ ଓ ଦୋକାନ ଖୋଲିପାରିବେ। ଏନେଇ ଶୁକ୍ରବାର ଜିଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ରାତ୍ରିକାଳୀନ କର୍ଫ୍ୟୁ ସହିତ ଦିଲ୍ଲୀରେ ଅନେକ ପ୍ରତିବନ୍ଧକଗୁଡ଼ିକ ମଧ୍ୟ କୋହଳ କରାଯାଇଛି। ରାଜ୍ୟରେ ମାସ୍କ ନ ପିନ୍ଧିବା ଉପରେ ପୂର୍ବରୁ ଲଗାଯାଇଥିବା ଜରିମାନାକୁ ମଧ୍ୟ କମ୍‌ କରିଦିଆଯାଇଛି। ଏତଦ୍‌ ବ୍ୟତୀତ ବିନା ପ୍ରତିବନ୍ଧକରେ ଲୋକମାନେ ଠିଆ ହୋଇ ବସ୍‌ ଓ ମେଟ୍ରୋରେ ଯାତ୍ରା କରିପାରିବେ ବୋଲି ସୂଚନା ରହିଛି।

Share