ବ୍ରିଟେନ,୧୭।୭: ଜାନୁଆୟୀ ପରଠାରୁ ବ୍ରିଟେନରେ କରୋନା ସଂକ୍ରମଣ ହାର କମିବାରେ ଲାଗିଥିଲା। କିନ୍ତୁ ଏବେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ ହାର। ଶନିବାର ଦେଶରେ ୫୦ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମ୍ନାକୁ ଆସିଛି। ଜାନୁୟାରୀ ପରେ ପ୍ରଥମ ଥର ପାଇଁ ଦେଶରେ ଏତେ ମାମଲା ଆସିଛି। ଏଥିଲାଗି ଫୁଟବଲ୍ ଟୁର୍ନାମେଣ୍ଟ ୟୁରୋ କପ୍ ଦାୟୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ୟୁରୋ କପ୍ରେ ୯୦ ହଜାରରୁ ଅଧିକ ଲୋକ ଏକାଠି ବସି ମ୍ୟାଚର ମଜା ନେଇଥିଲେ। ଏହି ସମୟରେ ମାସ୍କ କିମ୍ବା ସାମାଜିକ ଦୂରତା ପାଳନ କରାଯାଇ ନ ଥିଲା। ଏପରି କି କରୋନା ସଂକ୍ରମଣ କମିବା ପରେ ବ୍ରିଟେନ ସରକାରଙ୍କ ପକ୍ଷରୁ କରୋନା କଟକଣାକୁ କୋହଳ କରି ଦିଆଯାଇଥିଲା। ବର୍ତ୍ତମାନ ଏହାର ପରିଣାମ ଭୋଗିବାକୁ ପଡିବ।
ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ବ୍ରଟେନ୍ରେ କରୋନାରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୧ ହଜାର ୮୭୦ ପଜିଟିଭ୍ ଟିହ୍ନଟ ହୋଇଥିବା ବ୍ରିଟେନ ସରକାରର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସପ୍ତାହକ ମଧ୍ୟରେ ଦେଶରେ ପଜିଟିଭିଟି ହାର ୪୫ ପ୍ରତିଶତ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।