ବଲାଙ୍ଗୀରରେ ଆରମ୍ଭ ହେଲା କୋଭିଡ ଟିକାକରଣ: ପ୍ରଥମ ଦିନ ନେବେ ୩୦୦ ଟିକା

ବଲାଙ୍ଗୀର ଅଫିସ,୧୬।୧: ବଲାଙ୍ଗୀର ଜିଲାରେ ଶନିବାରଠାରୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଜିଲାପାଳ ଚଞ୍ଚଳ ରାଣା ଏହି ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ପ୍ରଥମ ବ୍ୟକ୍ତି ଭାବେ ଡା. ଗିରିଜା ଶଙ୍କର ଉଦଗାତାଙ୍କୁ ଟିକା ଦିଆଯାଇଛି।
ସେହିପରି ବଲାଙ୍ଗୀର କନ୍ଧପାଲି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କୋଭିଡ ଟିକା ସୁରକ୍ଷିତ ଓ ଏଥିରେ କୌଣସି ଲୋକ ଭୟଭୀତ ହେବାର ନାହିଁ ବୋଲି ଜିଲାପାଳ କହିଛନ୍ତିି । କାର୍ଯ୍ୟକ୍ରମରେ ବଲାଙ୍ଗୀର ଏସ୍‌ପି ନିତିନ କୁଶଲକର, ସିଡିଏମଓ ଡା ଭୀମ ସାହୁ ଓ ମେଡିକାଲ ଷ୍ଟାଫ ଉପସ୍ଥିତ ଥିଲେ । ପ୍ରଥମ ଦିନ ଜିଲାର ୩ଟି ଟିକାକରଣ କେନ୍ଦ୍ରରେ ୩୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ଜିଲାକୁ ୮ ହଜାର କରୋନା ଟିକା ଆସିଛି ।

Share