କୋଭିଡ ଆଇନ ଉଲ୍ଲଂଘନ ପ୍ରସଙ୍ଗ: କ୍ଷମା ମାଗିଲେ ବିଧାୟକ ଉମା

ପୁରୀ ଅଫିସ,୧୦ା୧୦: କୋଭିଡ୍‌ ଆଇନ ଉଲ୍ଲଂଘନ କରିଥିବାରୁ ଶେଷରେ କ୍ଷମା ମାଗିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ। ଶନିବାର ବିଧାୟକ ସାମନ୍ତରାୟ କହିଛନ୍ତି, କରୋନା ସଂକ୍ରମିତ ଥାଇ ସ୍ବର୍ଗଦ୍ୱାରରେ ପହଞ୍ଚତ୍ବା ମୋର ଭୁଲ୍‌ ଥିଲା। ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଭାବବିହ୍ବଳ ହୋଇ ସ୍ବର୍ଗଦ୍ୱାରକୁ ଯାଇଥିଲି। ସଂକ୍ରମିତ ଥାଇ ସ୍ବର୍ଗଦ୍ୱାରକୁ ଯିବା ମୋ ପାଇଁ ସମ୍ପୂର୍ଣ୍ଣ ଭୁଲ୍‌ ଥିଲ। ରକାରଙ୍କ ଆଇନ ଊର୍ଦ୍ଧ୍ୱରେ କେହି ନୁହନ୍ତି। ଆଇନଗତ ଭାବେ ମୋ ପ୍ରତି ଯେଉଁ ପଦକ୍ଷେପ ଗ୍ରହଣ କରାଯିବ ତାକୁ ମାନିବାକୁ ମୁଁ ପ୍ରସ୍ତୁତ ବୋଲି ବିଧାୟକ କହିଛନ୍ତି।
ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ବିଧାୟକ ସାମନ୍ତରାୟ କୋଭିଡ ଆଇନ ଉଲ୍ଲଂଘନ କରିଥିବା ନେଇ ଗତ ରବିବାର ସମୁଦ୍ର କୂଳ ଥାନାରେ ଏତଲା ଦିଆଯାଇଥିଲା। ଏହି ଦୁଇ ଜନପ୍ରତିନିଧି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ହେଁ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଶ୍ରୀଜଗନ୍ନାଥ ସେନା ଏବଂ ପୁରୀ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଥମେ ସମୁଦ୍ର କୂଳ ଥାନାରେ ଏତଲା ଏବଂ ପରେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗତ ଗୁରୁବାର ରାଜ୍ୟପାଳଙ୍କୁ ଫେରାଦ ହୋଇଥିଲା ଜଗନ୍ନାଥ ସେନା। ଶୁକ୍ରବାର ବିଧାୟକ ସାମନ୍ତରାୟଙ୍କ ନଁାରେ ସମୁଦ୍ର କୂଳ ଥାନାରେ ଏପିଡେମିକ ଆକ୍ଟରେ ମାମଲା (ନଂ.୧୬୧/୨୦) ରୁଜୁ ହୋଇଥିଲା। ନିୟମାନୁଯାୟୀ ମନ୍ତ୍ରୀ ଦାଶ କୋଭିଡ ଆଇନ ଉଲ୍ଲଂଘନ କରି ନ ଥିବା ଏସ୍‌ପି ଅଖିଳେଶ୍ୱର ସିଂ କହିଛନ୍ତି।