କୋଭିଡ୍‌-୧୯ ମହାମାରୀ: ଡବ୍ଲ୍ୟୁଟିଏ ଫାଇନାଲ୍ସ, ୧୦ ଅନ୍ୟ ଟେନିସ ଟୁର୍ନାମେଣ୍ଟ ବାତିଲ

ଓ୍ବାଶିଂଟନ,୨୪।୭(ଏପି): ଚାଇନାରେ ରେକର୍ଡ ସଂଖ୍ୟକ ଟେନିସ୍‌ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଚାଇନାରେ ୧୧ଟି ପୁରୁଷ ଓ ମହିଳା ଟୁର୍ନାମେଣ୍ଟ ବାତିଲ ହୋଇଛି। ଏଥିରେ ଡବ୍ଳ୍ୟଟିଏ ଫାଇନାଲ୍ସ ସାମିଲ ରହିଛି। ଏହି ଟୁର୍ନାମେଣ୍ଟଗୁଡିକର କାର୍ଯ୍ୟସୂଚୀକୁ ପୁନଃ ନିର୍ଦ୍ଧାରିତ କରିବା ବଦଳରେ ବାତିଲ କରିବାକୁ ଏଟିପି ଓ ଡବ୍ଲ୍ୟୁଟିଏ ଟୁର୍ସ ଘୋଷଣା କରିଛି। କରୋନା ଭାଇରସ୍‌ କାରଣରୁ ଚାଇନାର ଜେନେରାଲ ଆଡମିନିଷ୍ଟ୍ରେଶନ ଅଫ୍‌ ସ୍ପୋଟର୍‌ସ ଚଳିତ ବର୍ଷ ବାକିଥିବା ସବୁ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ ନ କରିବାକୁ ଘୋଷଣା କରିବା ପରେ ଟୁର୍ନାମେଣ୍ଟଗୁଡିକୁ ବାତିଲ କରାଯାଇଛି।
ଚାଇନାରେ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟଗୁଡିକୁ ବାତିଲ କରାଯିବା ପରେ ଆମେ ନିରାଶ ହୋଇଛୁ ବୋଲି ଡବ୍ଲ୍ୟୁଟିଏ ଅଧ୍ୟକ୍ଷ ଷ୍ଟିଭ୍‌ ସାଇମନ କହିଛନ୍ତି। ତେବେ ଚାଇନାର ଏହି ନିଷ୍ପତ୍ତିକୁ ଆମେ ସମ୍ମାନ ଦେଉଛୁ। ଆଗାମୀ ସେସନ୍‌ରେ ଚାଇନାକୁ ଫେରିବାକୁ ଆମେ ବ୍ୟଗ୍ର ବୋଲି ସେ କହିଛନ୍ତି। ଏ ସବୁ ସତ୍ତ୍ୱେ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟ ଆୟୋଜନ ଉପରେ ଗୁରୁତ୍ୱ ଦେଇଛି। ଅଗଷ୍ଟ ୩ରେ ଇଟାଲୀର ପାଲେର୍ମୋରେ ଟୁର୍ନାମେଣ୍ଟ ଆରମ୍ଭ ହେବ। ସେହିପରି ନ୍ୟୁୟର୍କରେ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଗଷ୍ଟ ୩୧ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ମେ’ରୁ ଫ୍ରେଞ୍ଚ୍‌ ଓପନ୍‌କୁ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି।