କୋଭିଡ୍‌ ପରିଚାଳନା:ଓଡ଼ିଶାକୁ ଡବ୍ଲ୍ୟୁଏଚ୍‌ଓର ପ୍ରଶଂସା

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):କୋଭିଡ୍‌ ପରିଚାଳନାରେ ଭଲ ପ୍ରଦର୍ଶନ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଓଡ଼ିଶାକୁ ପ୍ରଶଂସା କରିଛି। ଡବ୍ଲ୍ୟୁଏଚ୍‌ଓ କହିଛି, ଓଡ଼ିଶା ଠିକ୍‌ ଭାବେ କୋଭିଡ୍‌ ମୁକାବିଲା କରିପାରିଛି। ଠିକ୍‌ ପରିଚାଳନା ଯୋଗୁ ରାଜ୍ୟରେ ମୃତ୍ୟୁ ହାର କମ୍‌ ଓ ସୁସ୍ଥ ହାର ଅଧିକ ରହିଛି। କରୋନା ମୁକାବିଲାରେ ଗ୍ରାମ ପଞ୍ଚାୟତକୁ ସାମିଲ କରାଯାଇ ପରିଚାଳନାକୁ ବିକେନ୍ଦ୍ରୀକରଣ କରାଯାଇପାରିଛି। ଉଚ୍ଚ ସ୍ତରର ଟେଷ୍ଟିଂ କୌଶଳ ସହ ପ୍ରଭାବଶାଳୀ ଢଙ୍ଗରେ ରୋଗୀଙ୍କ ଯତ୍ନ ନିଆଯାଇପାରିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଛି। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରି ଲୋକଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେଇପାରିଛି। କୋଭିଡ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଆଗମନକୁ ଠିକ୍‌ ଭାବେ ପରିଚାଳନା କରିଛି ଓଡ଼ିଶା। ସବୁଠାରୁ ବଡ଼ କଥା ହେଉଛି, ଏ କ୍ଷେତ୍ରରେ ମିଶନ ଶକ୍ତିକୁ ସାମିଲ କରାଯାଇପାରିଛି। ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ସାମାଜିକ ଦୂରତା, ସଚେତନତା, ଚିକିତ୍ସା କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନିଆଯିବା ସହ ଏସବୁର ଠିକ୍‌ ଭାବେ ମଧ୍ୟ ତଦାରଖ ହୋଇପାରିଛି। ଓଡ଼ିଶାର ଟେଷ୍ଟିଂ ଷ୍ଟ୍ରାଟେଜିକୁ ମଧ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରିଛି। ତେବେ ଡବ୍ଲ୍ୟୁଏଚ୍‌ଓର ଏପରି ପ୍ରଶଂସା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ମଧ୍ୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Share