କୋଭିଡ୍‌ ଟିକାକୁ ଖୁବ୍‌ଶୀଘ୍ର ମଞ୍ଜୁରୀ

ନୂଆଦିଲ୍ଲୀ, ୯।୧୨: ଆଗାମୀ କିଛି ସପ୍ତାହ ମଧ୍ୟରେ ଭାରତରେ କେତେକ କୋଭିଡ୍‌-୧୯ ଟିକାକୁ ବ୍ୟବହାର ପାଇଁ ଲାଇସେନ୍ସ ମିଳିଯିବ ବୋଲି ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଭାରତୀୟଙ୍କୁ କୋଭିଡ୍‌ ଟିକା ଦିଆଯିବ। ପ୍ରାୟ ୧ କୋଟି ସ୍ବାସ୍ଥ୍ୟ କର୍ମଚାରୀ, ୨ କୋଟି ଫ୍ରଣ୍ଟଲାଇନ୍‌ ଓ୍ବାର୍କର ଏବଂ ୨୭ କୋଟି ବୟସ୍କ ନାଗରିକଙ୍କୁ ଟିକା ଦିଆଯିବ। ଚିକିତ୍ସା ପ୍ରଦାନକାରୀଙ୍କ ସମେତ ସ୍ବାସ୍ଥ୍ୟସେବା ସହ ଜଡ଼ିତ ଅନ୍ୟମାନଙ୍କୁ ଟିକା ମିଳିବାକୁ ଥିବାବେଳେ ଫ୍ରଣ୍ଟଲାଇନ ଓ୍ବାର୍କରଙ୍କ ମଧ୍ୟରେ କେନ୍ଦ୍ରୀୟ ଓ ରାଜ୍ୟ ପୋଲିସ, ସଶସ୍ତ୍ର ବଳ, ହୋମ୍‌ଗାର୍ଡ, ସିଭିଲ ଡିଫେନ୍ସ, ବିପର୍ଯ୍ୟୟ ପରିଚାଳନା ସ୍ବେଚ୍ଛାସେବୀ, ମ୍ୟୁନିସିପାଲ କର୍ମଚାରୀ ଏବଂ ୫୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କୁ ଟିକା ମିଳିବ।
ଦେଶର କରୋନା ସ୍ଥିତି ସମ୍ପର୍କରେ ଖବରଦାତା ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍‌ ସେମାନଙ୍କ ଟିକାର ଜରୁରୀ ବ୍ୟବହାର ନିମନ୍ତେ ମଞ୍ଜୁରୀ ପାଇଁ ଆବେଦନ କରିଛନ୍ତି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରାଜେନିକା ଦ୍ୱାରା ବିକଶିତ କୋଭିଶିଲ୍ଡ ଟିକାକୁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଉତ୍ପାଦନ କରୁଛି। ସେହିପରି ଭାରତ ବାୟୋଟେକ୍‌ ସ୍ବଦେଶୀ ଟିକା କୋଭାକ୍ସିନ୍‌ର ବିକାଶ କରିଛି। ଏହା ବ୍ୟତୀତ ଫାଇଜର ମଧ୍ୟ ଟିକାର ଜରୁରୀ ବ୍ୟବହାର ଲାଗି ଅନୁମତି ପାଇଁ ଆବେଦନ କରିଛି।
ବୈଜ୍ଞାନିକମାନଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ଟିକା ବିପୁଳ ପରିମାଣରେ ଉତ୍ପାଦନ ହେବ। ସମସ୍ତଙ୍କ ପାଖରେ ଟିକା ପହଞ୍ଚତ୍ବା ପାଇଁ ବ୍ୟବସ୍ଥା କରାଯାଉଛି। କମ୍ପାନୀଗୁଡ଼ିକର ଆବେଦନକୁ ତପତ୍ରତା ସହ ବିଚାର କରାଯାଉଥିବା ନୀତି ଆୟୋଗ ସଦସ୍ୟ ତଥା ଭାକ୍ସିନ ଟାସ୍କଫୋର୍ସର ମୁଖ୍ୟ ଡ. ଭି.କେ. ପଲ୍‌ କହିଛନ୍ତି। ବର୍ତ୍ତମାନ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଥିବାବେଳେ ରୁଷିଆ ପ୍ରସ୍ତୁତ ସ୍ପୁଟ୍‌ନିକ ଭି’ର ପରୀକ୍ଷା ଚଳିତ ମାସରୁ ଆରମ୍ଭ ହେବ।

୨୫୦ ଟଙ୍କାରେ ଯୋଗାଇବ ସେରମ୍‌

ବିଶ୍ୱର ସର୍ବାଧିକ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛି। ଏହି କମ୍ପାନୀ ସରକାରଙ୍କୁ ଡୋଜ୍‌ ପ୍ରତି ୨୫୦ ଟଙ୍କା (୩.୩୯ ଡଲାର)ରେ ଟିକା ଯୋଗାଇଦେବ। ଏହାର କୋଭିଶିଲ୍ଡ ଟିକାର ଜରୁରୀ ବ୍ୟବହାର ନିମନ୍ତେ ମଞ୍ଜୁରୀ ପାଇଁ ଏସ୍‌ଆଇଆଇ ସୋମବାର ଆବେଦନ କରିଥିଲା। ଭାରତର ଘରୋଇ ବଜାରରେ ଟିକାର ଦାମ୍‌ ୧୦୦୦ ଟଙ୍କା (୧୩.୫୫ ଡଲାର) ରହିବ ବୋଲି ପୂର୍ବରୁ ଏସ୍‌ଆଇଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାଓ୍ବାଲା କହିଥିଲେ। ତେବେ ସରକାର ବିପୁଳ ପରିମାଣରେ ଟିକା ନେବାକୁ ଥିବାରୁ କମ୍‌ ଦାମ୍‌ରେ ଯୋଗାଇ ଦିଆଯିବ।

Share