Categories: ଖେଳ

କୋଭିଡ୍‌ ନିୟମ ଉଲ୍ଲଂଘନ: ୬ ମାସ ନଜରରେ ରହିବେ ସାମ୍‌ କ୍ୱେରୀ

ଲଣ୍ଡନ, ୧ା୧ (ଏପି)-ଗତ ଅକ୍ଟୋବରରେ ସେଣ୍ଟ ପିଟର୍ସବର୍ଗ ଓପନ୍‌ରେ କରୋନା ଭାଇରସ୍‌ ପ୍ରୋଟୋକଲ୍‌ ଉଲ୍ଲଂଘନ କରିଥିବାରୁ ଆମେରିକାର ଟେନିସ ଖେଳାଳି ସାମ୍‌ କ୍ୱେରୀଙ୍କୁ ସସ୍‌ପେଣ୍ଡେଡ୍‌ ୨୦,୦୦୦ ଆମେରିକୀୟ ଡଲାର ଜରିମାନା କରାଯାଇଛି। କୋଭିଡ୍‌ ଟେଷ୍ଟରେ ପଜିଟିଭ ଆସିବା ପରେ କୋରୀ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଇସୋଲେଶନରେ ଥିଲେ। ମାତ୍ର ସେ ଏକ ଘରୋଇ ବିମାନ ଯୋଗେ ରୁଷିଆରୁ ପଳାୟନ କରିଥିଲେ। ଘଟଣାର ତଦନ୍ତ ପରେ ଏହି ଦଣ୍ଡ ବିଧାନ କରାଯାଇଛି। ତେବେ ୩୩ ବର୍ଷୀୟ କ୍ୱେରୀ ଯଦି ୬ ମାସ ପ୍ରୋବେଶନ ପିରିୟଡରେ ପୁନର୍ବାର କୋଭିଡ୍‌ ସମ୍ପର୍ର୍କିତ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରୋଟୋକଲ ଭଙ୍ଗ କରନ୍ତି ତେବେ ତାଙ୍କୁ ଏହି ଜରିମାନା ପ୍ରଦାନ କରିବାକୁ ହେବ। ଏଟିପି (ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ୍ସ) କହିଛି ବହୁବର୍ଷ ଧରି ଜଣେ ଶୃଙ୍ଖଳିତ ଖେଳାଳି ହିସାବରେ କ୍ୱେରୀଙ୍କ ଭଲ ରେକର୍ଡ ରହିଆସିଥିବାରୁ ତାଙ୍କୁ କେବଳ ସସ୍‌ପେଣ୍ଡ ଜରିମାନା କରାଯାଇଛି।