ସଂକ୍ରମଣ ବଢ଼ିଲେ ଖୋଲିବ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶା ପାଇଁ ଚିନ୍ତା ବଢ଼ିଛି। ଯଦିଓ ରାଜ୍ୟରେ ଏ ପର୍ଯ୍ୟନ୍ତ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି, ତଥାପି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସୀମାନ୍ତ ଜିଲାମାନଙ୍କୁ ସତର୍କ ରହିବାକୁ କହିଛନ୍ତି। ଏହାକୁ ମୁକବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଡିଏମ୍‌ଇଟି ପ୍ରଫେସର ଡା. ରମାରମଣ ମହାନ୍ତି କହିଛନ୍ତି ଯେ ତୃତୀୟ ଲହରକୁ ନେଇ ସମସ୍ତ କୋଭିଡ୍‌ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସରକାରଙ୍କ ସହଭାଗିତାରେ ଚାଲିଥିବା ଘରୋଇ କୋଭିଡ୍‌ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‌-୧୯ ସଂକ୍ରମଣ ବଢ଼ିଲେ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ହସ୍ପିଟାଲରେ ଅକ୍ସିଜେନ, ମେଡିସିନ ମହଜୁଦ ରଖିବା ପାଇଁ ମଧ୍ୟ କୁହାଯାଇଥିବା ଡିଏମ୍‌ଇଟି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦେଶରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ଧୀରେ ଧୀରେ କାୟା ବିସ୍ତାର କରୁଛି। ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଦିଲ୍ଲୀ, ମୁମ୍ବାଇ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ନାଟକ, ତାମିଲନାଡୁ, ଗୁଜୁରାଟ, ରାଜସ୍ଥାନ ଆଦି ୧୧ଟି ରାଜ୍ୟରେ ଓମିକ୍ରନ ଚିହ୍ନଟ ହୋଇସାରିଲାଣି।

Share