ଭିସୁଟ୍‌ରୁ ଉଠିଲା କୋଭିଡ୍‌ କଟକଣା

ସମ୍ବଲପୁର,(ବ୍ୟୁରୋ): ସମ୍ବଲପୁରର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରୁ ବୁଧବାରଠାରୁ କୋଭିଡ୍‌ କଟକଣାକୁ ଉଠାଇ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ନୋଟିସ୍‌ ଜାରି କରାଯାଇଛି। ମଙ୍ଗଳବାର ୨୫ ଛାତ୍ରୀଛାତ୍ରଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସ୍ପଷ୍ଟୀକରଣ ଦେଇଥିଲେ। ଏହାପରେ ଜିଲା ପ୍ରଶାସନ ଏଭଳି ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷେ ଭିସୁଟ୍‌ ଦାୟିତ୍ୱରେ ଥିବା କୁଳପତି ବିବି ପତି କହିଛନ୍ତି, ଭିସୁଟ୍‌କୁ ଆଶ୍ୱସ୍ତି ମିଳିଛି। ଆଗକୁ କିଭଳି କ୍ଲାସ ହେବ ସେ ନେଇ ଖୁବ୍‌ଶୀଘ୍ର ବୈଠକ କରି ସ୍ଥିର କରାଯିବ। ସୂଚନାଯୋଗ୍ୟ, ଭିସୁଟ୍‌ରେ ୨୫ ଛାତ୍ରୀଛାତ୍ରଙ୍କ କୋଭିଡ୍‌ ପଜିଟିଭ ଥିବା ନେଇ କର୍ତ୍ତୃପକ୍ଷ ୨୬ ତାରିଖରେ ସୂଚନା ଦେଇଥିଲେ। ଏହାକୁ ନେଇ ୨୭ରେ ପ୍ରଶାସନ ପକ୍ଷରୁ ଭିସୁଟ୍‌ ପରିସରରେ ଥିବା ୧୧ ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ବୁର୍ଲାର ଜାଗୃତି ବିହାର କଲୋନୀ ଅନ୍ତର୍ଗତ ବ୍ଲକ -ଡ଼ିର ୫ ଓ ୬ ଏବଂ ଏହା ସଂଲଗ୍ନ ବ୍ଲକ -ଡ଼ିର ୭, ୮ ଓ ସି ଟାଇପ ବ୍ଲକର କ୍ୱାର୍ଟର୍ସକୁ ବଫର ଜୋନ ଭାବେ ଘୋଷଣା କରାଯାଇଥିଲା। ଏହି କଟକଣାକୁ ପ୍ରଶାସନ ଉଠାଇଦେଇଛି।

Share