‘କୋଭିରାପ୍‌’କୁ ଆଇସିଏମ୍‌ଆର୍‌ ସ୍ବୀକୃତି

ନୂଆଦିଲ୍ଲୀ, ୨୨ା୧୦ (ଆଇଏଏନ୍‌ଏସ୍‌): କରୋନା ସଂକ୍ରମଣ ଚିହ୍ନଟ ଲାଗି ଆଇଆଇଟି ଖଡ଼ଗପୁରର ଗବେଷକଙ୍କ ଦ୍ୱାରା ଏକ ରୋଗ ନିରୂପଣ ଯନ୍ତ୍ର (ଡାଇଗ୍ନୋଷ୍ଟିକ୍‌ ଟେଷ୍ଟ ମେଶିନ) ବିକଶିତ କରାଯାଇଛି। ଏହାର ନାମ ‘କୋଭିରାପ୍‌’ ରଖାଯାଇଥିବାବେଳେ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ ଏହାକୁ ସ୍ବୀକୃତି ପ୍ରଦାନ କରାଯାଇଛି। ଅତି ସହଜ ଉପାୟରେ ଏହି ମେଶିନ ରୋଗକୁ ମାତ୍ର ଘଣ୍ଟାକ ମଧ୍ୟରେ ଚିହ୍ନଟ କରିପାରେ। ମେଡିକାଲ ସାଇନ୍ସ କ୍ଷେତ୍ରରେ ଏହା ବେଶ୍‌ ଫଳପ୍ରଦ ହୋଇପାରିବ ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ବିଶେଷକରି ଭୂତାଣୁ ଚିହ୍ନଟ ଲାଗି ‘କୋଭିରାପ୍‌’ର ଉପାଦେୟତା ଅନେକ ବୋଲି ଆଇଆଇଟି ଖଡ଼ଗପୁରର ପ୍ରଫେସର ଭି.କେ. ତିଓ୍ବାରୀ କହିଛନ୍ତି। ଏଥିରେ ଟେଷ୍ଟ ରିପୋର୍ଟ ସ୍ବତନ୍ତ୍ର ଭାବେ ନିର୍ମିତ ମୋବାଇଲ ଆପ୍‌ ଜରିଆରେ ମିଳିପାରିବ।
‘କୋଭିରାପ୍‌’ ଜରିଆରେ ସାଧାରଣ ଲୋକ ମାତ୍ର ୫୦୦ ଟଙ୍କା ଦେଇ ଏହି ପରୀକ୍ଷା କରିପାରିବେ। ସରକାରଙ୍କ ହସ୍ତକ୍ଷେପ ପରେ ଏହି ମୂଲ୍ୟ କମିପାରେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍‌ରିୟାଲ ନିଶାଙ୍କ ପ୍ରକାଶ କରିଛନ୍ତି। ୧୦ ହଜାରରୁ କମ୍‌ ଟଙ୍କାରେ ଏହି ମେଶିନଟିକୁ ସାଧାରଣ ଲୋକଙ୍କ ଲାଗି ବିକଶିତ କରାଯାଇପାରିବ।

Share