୮୪ଦିନ ପୂର୍ବରୁ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ମନା

ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ଟିକା କୋଭିଶିଲ୍ଡର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ବ୍ୟବଧାନ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏ ନେଇ ସାନି ଗାଇଡ୍‌ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଓ ଜିଲା ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି। ପ୍ରଥମ ଡୋଜ୍‌ ନେବାର ୧୨ ସପ୍ତାହ ବା ୮୪ ଦିନ ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହା ପୂର୍ବରୁ ଦ୍ୱିତୀୟ ଡୋଜ୍‌ ନେବାକୁ ବାରଣ କରାଯାଇଛି। ସେହିଭଳି ୮୪ଦିନ ପୂର୍ବରୁ ଦ୍ୱିତୀୟ ଡୋଜ୍‌ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ହୋଇପାରିବ ନାହିଁ। ତେବେ ଦ୍ୱିତୀୟ ଡୋଜ୍‌ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ହୋଇସାରିଥିଲେ ତାହାକୁ ବାତିଲ କରିବନି କୋୱିନ ପୋର୍ଟାଲ। ଏଭଳି କ୍ଷେତ୍ରରେ ପୁଣି ଥରେ ନିଜ ତରଫରୁ ବୁକିଂ ପାଇଁ ବା ସ୍ଲଟ୍‌ ରିସିଡ୍ୟୁଲ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ବ୍ୟକ୍ତି ଜଣକ ଯଦି ପୂର୍ବ ବୁକିଂ ଅନୁଯାୟୀ ୮୪ ଦିନ ପୂର୍ବରୁ ଟିକା ନେବାକୁ ଚାହିଁବେ, ତେବେ ଟିକା ନେଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ନୂଆ ନିୟମାନୁସାରେ, ଏବେ ଦ୍ୱିତୀୟ ଡୋଜ୍‌ ନେବା ପାଇଁ ଆଉ ଭିଡ଼ ରହିବ ନାହିଁ। ଏଭଳି କ୍ଷେତ୍ରରେ ଏବେ ପ୍ରଥମ ଡୋଜ୍‌ ନେବାକୁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

Share