Categories: ଜାତୀୟ

କୋଭିଶିଲ୍ଡ ପାର୍ଶ୍ୱ ପ୍ରତିକ୍ରିୟା: ସୁପ୍ରିମକୋର୍ଟରେ କ୍ଷତିପୂରଣ ଦାବି

ନୂଆଦିଲ୍ଲୀ,୩ା୫:କରୋନା ପ୍ରତିଶେଧକ ଟିକା କୋଭିଶିଲ୍ଡର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଅଷ୍ଟ୍ରାଜେନିକା କମ୍ପାନୀ ସ୍ବୀକାର କରିବା ପରେ ଏହାର ଯାଞ୍ଚ ପାଇଁ ଜଣେ ଆଇନଜୀବୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ସମ୍ଭାବ୍ୟ ବିପଦ ସମ୍ପର୍କରେ ଅନୁଧ୍ୟାନ ଲାଗି ଏକ ମେଡିକାଲ ବିଶେଷଜ୍ଞ କମିଟି ଗଠନ ନିମନ୍ତେ ନିର୍ଦ୍ଦେଶ ଦେବା ଲାଗି ସେ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛନ୍ତି। ଏଥିସହିତ ଟିକା ନେଇ ଯେଉଁମାନେ ଗମ୍ଭୀର ଭାବେ ଭିନ୍ନକ୍ଷମ ହୋଇଛନ୍ତି, କିମ୍ବା ପ୍ରାଣ ହରାଇଛନ୍ତି, ସେମାନଙ୍କୁ କ୍ଷତିପୂରଣ ଯୋଗାଇଦେବା ନିମନ୍ତେ ଆଇନଜୀବୀ ବିଶାଲ ତିଓ୍ବାରୀ ଆବେଦନ କରିଛନ୍ତି। ଭାରତରେ ୧୭୫ କୋଟି କୋଭିଶିଲ୍ଡ ଟିକା ଦିଆଯାଇଥିଲା। ଏହାର ପାର୍ଶ୍ୱ ପ୍ରତ୍ରିକ୍ରିୟା ସ୍ବରୂପ ପ୍ଲେଟ୍‌ରେଟ୍‌ ହ୍ରାସ ପାଇବା ସହ ରକ୍ତ ଜମାଟ ବାନ୍ଧିବା ଭଳି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ ବୋଲି ଅଷ୍ଟ୍ରାଜେନିକା କମ୍ପାନୀ ସ୍ବୀକାର କରିସାରିଛି। ପୁଣେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏହି ଟିକା ପ୍ରସ୍ତୁତ କରୁଥିଲା। କରୋନା ମହାମାରୀ ପରେ ହୃଦ୍‌ଘାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ଏବେ ବ୍ରିଟେନ୍‌ କୋର୍ଟରେ କମ୍ପାନୀ ଟିକାର ପାର୍ଶ୍ୱ ପ୍ରତ୍ରିକ୍ରିୟା ସମ୍ପର୍କରେ ମାନିବା ପରେ ଆମକୁ ଏହାର ବିପଜ୍ଜନକ ପରିଣାମ ସମ୍ପର୍କରେ ଚିନ୍ତା କରିବାକୁ ହେବ ବୋଲି ଆଇନଜୀବୀ କହିଛନ୍ତି। କୋଭିଶିଲ୍ଡ ଟିକା ସୁରକ୍ଷିତ ବୋଲି ଭାରତ ସରକାର ଅନୁରୋଧ ଓ ପ୍ରତିଶ୍ରୁତି ଦେବା ପରେ ଲୋକେ ଏହାକୁ ନେଇଥିଲେ। ତେଣୁ ଯେଉଁମାନେ ଟିକା ନେଇ ବିକଳାଙ୍ଗ ହୋଇଛନ୍ତି ବା ମୃତ୍ୟୁ ମୁଖରେ ପଡ଼ିଛନ୍ତି, ସେମାନଙ୍କ ପରିବାରକୁ କ୍ଷତିପୂରଣ ମିଳିବା ଆବଶ୍ୟକ। ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଭବିଷ୍ୟତରେ ଯେପରି ବିପଦ ଦେଖା ନ ଦିଏ, ସେଥିପାଇଁ ଭାରତ ସରକାର ଏହି ମାମଲାକୁ ପ୍ରାଥମିକତାର ସହ ନେବା ଆବଶ୍ୟକ ବୋଲି ତିଓ୍ବାରୀ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି।

Share