କର୍ନାଟକ ଓ ତାମିଲନାଡୁ ସୀମାର ଏକ ଛୋଟିଆ ଗାଁ ହେଉଛି ଗୁମାତାପୁର। କିନ୍ତୁ ଏବେ ଏହି ଛୋଟ ଗାଁ ସାରା ପୃଥିବୀରେ ପରିଚିତି ଲାଭ କରିଛି। କାରଣ ଦୀପାବଳିକୁ ସେମାନେ ଏକ ଭିନ୍ନ ଧରଣରେ ପାଳନ କରି ସେହିଦିନର ଅନ୍ତ କରନ୍ତି। ସ୍ପେନରେ ଲା ଟମାଟିନୋ ନାମକ ପରମ୍ପରା ରହିଛି; ଯେଉଁଥିରେ ଲୋକେ ଟମାଟୋ ଫିଙ୍ଗାଫୋପଡା କରନ୍ତି। ଏହା ଏକପ୍ରକାରର ଟମାଟୋ ଯୁଦ୍ଧ। ସେହିଭଳି ଗୁମାତାପୁର ଗାଁରେ ଲୋକେ ଦୀପାବଳି ରାତିରେ ପରସ୍ପରକୁ ଗୋବର ଫିଙ୍ଗାଫୋପଡା କରନ୍ତି। ଏହି ଗୋବର ଯୁଦ୍ଧକୁ ‘ଗୋରେହବ୍ବା’ କୁହାଯାଏ। ଏଥିପାଇଁ ପ୍ରଥମେ ପ୍ରତି ଘରୁ ଗୋବର ସଂଗ୍ରହ କରାଯାଏ। ତାକୁ ଟ୍ରାକ୍ଟରରେ ସ୍ଥାନୀୟ ମନ୍ଦିରକୁ ଅଣାଯାଏ। ସେଠି ପୁରୋହିତ ପୂଜାପାଠ କରନ୍ତି। ପରେ ସେହି ଗୋବରକୁ ଗାଁର ଏକ ବଡ ଜାଗାରେ ଢଳାଯାଏ। ଆଉ ଶାର୍ଟ ନ ପିନ୍ଧି ଲୋକେ ସେହି ଗୋବର ଗଦା ପାଖକୁ ଆସନ୍ତି। ଗୋବର ଧରି ଜଣେ ଆଉଜଣଙ୍କ ଉପରକୁ ଫୋପାଡନ୍ତି। ଦେଖୁ ଦେଖୁ ଗୋବର ଯୁଦ୍ଧ ଆରମ୍ଭ ହୋଇଯାଏ। ଲୋକଙ୍କର ବିଶ୍ୱାସ ରହିଛି ଯେ, ପୂଜାପାଠ ହୋଇଥିବା ଏହି ପବିତ୍ର ଗୋବର ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ। ଏମିତିକି ଆଗକୁ ରୋଗ ହେବାର ଆଶଙ୍କା ବି ନ ଥାଏ।