ଗୋରୁ ବୋଝେଇ ପିକ୍‌ଅପ ଭ୍ୟାନ୍‌ ଜବତ

ପାଟଣା,୧୪।୮(ବିର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ-କୋଲକତା ୪୯ ନମ୍ବର ଜାତୀୟ ରାଜପଥ ଡ଼ାବାରଚୁଆ ନିକଟରୁ ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନକୁ ସ୍ଥାନୀୟ ଭଞ୍ଜ ସେନା କର୍ମକର୍ତ୍ତା ଧରି ପୋଲିସ ଜିମା ଦେଇଛନ୍ତି।

କେନ୍ଦୁଝରରୁ ମୟୁରଭଞ୍ଜ ଦେଇ କୋଲକାତା ଗୋରୁ ଚାଲାଣ ହେଉଥିବା ଖବର ମିଳିଥିଲା। ଏନେଇ ଭଞ୍ଜ ସେନା କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ଲୋକେ ଗାଡିକୁ ପିଛା କରିଥିଲେ। ପରେ ଡାବରଚୁଆ ନିକଟରେ ଗାଡିକୁ ଅଟକାଇ ଥିଲେ l ହେଲେ ଗାଡି ଛାଡି ଡ୍ରାଇଭର ଏବଂ ଅନ୍ୟଜଣେ ଦୌଡ଼ି ଫେରାର ହୋଇଯାଇଥିଲେ।

ଗାଡି ଭିତରେ ଅତି ଦୟନୀୟ ଅବସ୍ଥାରେ ଗୋରୁଙ୍କୁ ବାନ୍ଧି ନିଆଯାଉଥିବା ଦେଖିବାକୁ ମିଳିଥିଲା। ପରେ ଗାଡିରୁ ୧୨ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଗୋରୁଙ୍କ ମଧ୍ୟରୁ ୩ଟି ଗୋରୁ ଗୁରୁତର ଥିବା ଜଣାପଡିଛି। ଗୁରୁତର ଗୋରୁଙ୍କୁ ସ୍ଥାନୀୟ ପଶୁ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଇଛି l ଉଦ୍ଧାର ଗୋରୁଙ୍କୁ କେନ୍ଦୁଝର ଗୋଶାଳାରେ ଛଡାଯିବ ବୋଲି ତୁରୁମୁଙ୍ଗା ଥାନା ଧିକାରୀ ଇନ୍ଦ୍ରଜିତ ବେହେରା ସୂଚନା ଦେଇଛନ୍ତି।