ନୂଆପଡ଼ା ଅଫିସ୍,୨୮।୧୧: ମହିଳା ସଶକ୍ତିକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ରୋଜଗାରକ୍ଷମ କରାଯାଉଛି। ସରକାରଙ୍କ ସବୁ ଯୋଜନା ମହିଳାଙ୍କ ପାଖରେ ପହଞ୍ଚତ୍ ପାରୁ ନ ଥିବାରୁ ସେମାନେ ନିଜ ଉଦ୍ୟମରେ ସ୍ବାବଲମ୍ବୀ ହେବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ସଦର ବ୍ଲକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁରେ। ଶାନ୍ତିବାଈ ଶବର (୫୦) କାହା ଉପରେ ନିର୍ଭର ନ କରି ନିଜ ଉଦ୍ୟମରେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ଗୋ-ପାଳନ କରି କ୍ଷୀର ବିକ୍ରୟ କରି ପରିବାରର ୫ ସଦସ୍ୟ ହସଖୁସିରେ ଚଳୁଛନ୍ତି। ୧୦ ବର୍ଷ ପୂର୍ବେ ୨୦ଟି ଛେଳି, ମେଣ୍ଡା ଓ କୁକୁଡା ରଖିଥିଲେ। ସେଥିରେ ପରିବାର ଚଳିବା ବହୁତ କଷ୍ଟ ହେଉଥିଲା। ପରିବାରର ଦୁଃଖ କେବେ ଯାଉ ନ ଥିଲା। ହେଲେ ହଠାତ ଏକ ବେମାର ଆସିବାରୁ ଛେଳି ସବୁ ମରିଗଲା। ଦୁଃଖରେ ଭାଙ୍ଗି ପଡି ମନରେ ଏକ ଉପାୟ ଚିନ୍ତା କଲେ। ୨୦ ହଜାର ଟଙ୍କା ଋଣ କରି ଗୋଟିଏ ଜର୍ସି ଗାଈ ଆଣିଲେ। ଗାଈ ଦିନକୁ ୧୦ ରୁ ୧୨ ଲିଟର କ୍ଷୀର ଦେଲା। ସେହି କ୍ଷୀରକୁ ଧରି ଝିଲମିଲା ଗ୍ରାମରୁ ନୂଆପଡା ସହରକୁ ୩ କିଲୋମିଟର ପ୍ରତିଦିନ ଚାଲିଚାଲି ଆସି ବିକ୍ରୟ କରି ଘରକୁ ଫେରି ଯାଉଥିଲେ। ଚାଲି ଯିବା ଦ୍ୱାରା ସମୟ ହେଉ ନ ଥିବାରୁ ଏକ ସ୍କୁଟି କ୍ରୟ କରି ସ୍କୁଟି ସାହାଯ୍ୟରେ ନୂଆପଡାକୁ କ୍ଷୀର ଆଣି ବିକ୍ରୟ କରି ଯାଉଛନ୍ତି। ଗୋଟିଏ ଗାଈର କ୍ଷୀରରେ ଭଲ ଲାଭ ହେବାରୁ ତାଠାରୁ ଅଧିକ ଲାଭ ପାଇବା ପାଇଁ ଇଛା ହେଲା। ହେଲେ ହାତରେ ଟଙ୍କା ନାହିଁ। ବ୍ୟାଙ୍କକୁ ଯାଇ ଋଣ ପାଇଁ ଆବେଦନ କଲେ। କିନ୍ତୁ ବ୍ୟାଙ୍କରେ ଜଣଙ୍କୁ ଋଣ ଦିଆଯିବ ନାହିଁ। ଗ୍ରୁପ ମାଧ୍ୟମରେ ଋଣ ଦିଆଯିବ ବୋଲି କହି ମନା କରି ଦେବାରୁ ଆଉ ଚାରିଟି ମାଇକ୍ରୋ ଫାଇନାସରୁ ଟଙ୍କା ଉଠାଇ ଚାରିଟି ଜର୍ସି ଗାଈ ପୁଣି ଆଣିଲେ। ବର୍ତ୍ତମାନ ୫ ଟି ଗାଈ ସ୍ଥାନରେ ୧୫ଟି ଗାଈ ହେଲାଣି। ପ୍ରତିଦିନ ଭୋର ୪ ଟାରୁ ଉଠି ଗାଈର ଯତ୍ନ ନେବା ସହ ଖାଇବାକୁ ଦେଇ କ୍ଷୀର ବାହାର କରି ସକାଳ ୭ ରୁ ୮ ଟା ଭିତରେ ନୂଆପଡା ସହରକୁ ଆସି ଓମଫେଡରେ ୧୪ ଲିଟର କ୍ଷୀର ଦେଇ ବାକିତକ କ୍ଷୀରକୁ ଘର ଘର ବୁଲି ଦେଇଥାନ୍ତି। ଦିନ ୧୦ ଟାରେ ଘରକୁ ଫେରି ଯାଇ ସବୁତକ ଗାଈକୁ ଜଙ୍ଗଲକୁ ଚରାଇବା ନେଇ ପୁଣି ୩ଟାରେ ଘରକୁ ଆଣି ଖାଇ ସାରି ଗାଈର କ୍ଷୀର ବାହାର କରି ସନ୍ଧ୍ୟା ୬ଟାରେ ନୂଆପଡା ସହରକୁ ଆସି କ୍ଷୀର ଦେଇ ଫେରି ଯାଇ ରାତ୍ରିରେ ଗାଈକୁ ପୁଣି ଖାଇବା ପାଇଁ ଦେଇଥାନ୍ତି। ଶାନ୍ତିବାଈ କହିବାନୁଯାୟୀ-ବ୍ୟାଙ୍କକୁ ଯାଇ ଋଣ ମାଗିଲି ମନାକଲେ। ମାଇକ୍ରୋ ଫାଇନାସ ଦ୍ୱାରା ଚାରିଟି ଋଣ କରି ଗାଈ ଆଣି ବେପାର କରୁଛି। ଭଲ ଲାଭ ହେଉଛି। ହେଲେ ମାସକୁ ମାଇକ୍ରୋ ଫାଇନାସ ଋଣ ସୁଝିବାରେ ଟଙ୍କା ସରି ଯାଉଛି। ସେଥିରେ ପରିବାର ଚଳିବା ସହ ଗାଡିରେ ତେଲ ଭରୁଛି। ବର୍ତ୍ତମାନ ୧୫ଟି ଗାଈ,୧୦ଟି ଛେଳି,୨ଟି ମେଣ୍ଡା ଓ ୨୦ଟି କୁକୁଡା ରହିଛି। ଏ ସମ୍ପର୍କରେ ଓଡିଶା ଜୀବିକା ମିଶନ ଜିଲା ପ୍ରକଳ୍ପ ପରିଚାଳକ ଟିମନ ବାରାଙ୍କୁ ପଚାରିବାରୁ ଆମେ ଏ ସମ୍ପର୍କରେ ଅବଗତ ନ ଥିଲୁ। ବର୍ତ୍ତମାନ ବ୍ୟାଙ୍କ ମାଧ୍ୟମରେ ଋଣ କରି ଦେଇ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଥିଲେ।