୪ କୁକୁର ଛୁଆଙ୍କୁ କ୍ଷୀର ଦେଇ ପାଳୁଛି ଗାଈ

ବେଙ୍ଗାଲୁରୁ,୬।୧: ଆଜିକାଲି ମଣିଷ ଭିତରୁ ମାନବିକତା କମି କମି ଯାଉଛି। ମଣିଷ ଅପେକ୍ଷା ପଶୁଙ୍କଠାରେ ଅଧିକ ମାନବୀୟ ଗୁଣ ଦେଖିବାକୁ ମିଳୁଛି। କର୍ନାଟକର ୟାଦଗିର ଜିଲାର ପେଟ୍‌ ଆମ୍ପାପୁରା ଗ୍ରାମରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଗାଁର ବାସିନ୍ଦା କଙ୍କପ୍ପା କତିମାନିଙ୍କର ଏକ ଗାଈ ଅଛି। ନିକଟରେ ଗାଈଟି ଏକ ବାଛୁରୀ ଛୁଆ ଜନ୍ମ ଦେଇଛି। ଏହି ଗାଈଟି ପୁରା ଗାଁରେ ଆକର୍ଷଣର କେନ୍ଦ୍ର ପାଲଟିଛି।
ଗାଁରେ ଗୋଟିଏ କୁକୁରର ଚାରି ସନ୍ତାନ ଅଛି, କିନ୍ତୁ ତାଙ୍କ ମା’ ବହୁତ ଦୁର୍ବଳ ଥିଲା। ପିଲାମାନଙ୍କୁ ଖାଇବାକୁ ଦେବାରେ ଅସମର୍ଥ ଥିଲା। ଏହି ଚାରିଟି ଛୁଆ ଦିନସାରା ଭୋକିଲା ବୁଲୁଥିଲେ। ପ୍ରାୟ ପାଞ୍ଚ ଦିନ ପୂର୍ବେ, କଙ୍କପ୍ପାଙ୍କର ଗାଈଟି ସେହି କୁକୁର ଛୁଆମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ କ୍ଷୀର ଖାଇବାକୁ ଦେଇଥିଲା। ଏହା ପରେ, ଛୁଆମାନେ ମଧ୍ୟ ଏଥିରେ ଅଭ୍ୟସ୍ତ ହୋଇଗଲେ । ଏବେ ଗାଈଟି ଦିନକୁ ଦୁଇରୁ ତିନିଥର ଖାଇବାକୁ ଦେଉଛି। ଦିନସାରା ଚରିବା ପରେ ଗାଈ ଗାଁର ବାଲ୍ମିକି ଛକ ନିକଟରେ ଠିଆ ହୁଏ। କୁକୁର ଛୁଆମାନେ ପୂର୍ବରୁ ଏଠାରେ ଗାଈକୁ ଅପେକ୍ଷା କରିଥାନ୍ତି। ଯଦି ଗାଈ ସେଠାରେ କୁକୁର ଛୁଆମାନଙ୍କୁ ନ ଦେଖେ, ତେବେ ସେ ସିଧାସଳଖ କଙ୍କପ୍ପାଙ୍କ ଘରକୁ ଯାଇଥାଏ। କୁକୁର ଛୁଆମାନେ ସେଠାରେ ପହଞ୍ଚି ଯାନ୍ତି। କଙ୍କପ୍ପା କହିଛନ୍ତି – ଏହି ସମୟରେ ଗାଈ ନିଜ ବାଛୁରୀକୁ କ୍ଷୀର ଦେବା ବନ୍ଦ କରିଦେଇଛି। ଏହା ଦେଖି ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ବାସ୍ତବରେ ଏକ ଅବିସ୍ମରଣୀୟ ଘଟଣା।

Share