Categories: ଜାତୀୟ

ଦୂରଦର୍ଶନରେ ପ୍ରସାରଣ ହେବାକୁ ଥିବା ରାମ ମନ୍ଦିର ଭୂମିପୂଜାକୁ ସିପିଆଇ ନେତାଙ୍କ ବିରୋଧ

ନୂଆଦିଲ୍ଲୀ,୨୭।୭: ଆଯୋଧ୍ୟାରେ ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ସମାରୋହ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବେ। କରୋନା ଯୋଗୁ ଏହି ସମାବେଶରେ କେବଳ ସୀମିତ ଲୋକ ହିଁ ଯୋଗ ଦେଇପାରିବେ। ତେଣୁ ରାମଲଲାଙ୍କ ଭକ୍ତ ପାଇଁ ସରକାର ଏହି ସମାରୋହକୁ ଦୂରଦର୍ଶନରେ ପ୍ରସାରଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଏହି ପ୍ରସାରଣକୁ କେରଳ ରାଜ୍ୟସଭା ଏମ୍‌ପି ତଥା ସିପିଆଇ ନେତା ବିନୟ ବିଶ୍ୱମ୍‌ ବିରୋଧ କରିଛନ୍ତି। ଏନେଇ ସେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ଅଗଷ୍ଟ ୫ରେ ଆଯୋଧ୍ୟାରେ ହେବାକୁ ଥିବା ପ୍ରସ୍ତାବିତ ଧାର୍ମିକ କାର୍ଯ୍ୟକ୍ରମକୁ ପସାରଣ ନ କରିବାକୁ ନିବେଦନ କରିଛନ୍ତି। ଦୂରଦର୍ଶନରେ ଏହି ସମାରୋହ ପ୍ରସାରିତ ହେବା ଦ୍ୱାରା ଦେଶର ସାର୍ବଭୌମତ୍ୱ କ୍ଷୂର୍ଣ୍ଣ ହେବ। ଧର୍ମନିରପେକ୍ଷ ଗଣତନ୍ତ୍ରରେ ସରକାରଙ୍କ ଗୋଟିଏ ଧର୍ମ ପ୍ରତି ପ୍ରବୃକ୍ତି ଉଚିତ ନୁହେଁ। ଏହା ସରକାରଙ୍କ ଛବିକୁ ଧୂଳିସାତ୍‌ କରିପାରେ ବୋଲି ବିନୟ କହିଛନ୍ତି।

Share