Categories: ଜାତୀୟ

ଭାଜପା-ଜେଜେପି ମେଣ୍ଟରେ ଫାଟ: ଚିନ୍ତାରେ ହରିୟାଣା ସରକାର…

ଚଣ୍ଡିଗଡ଼,୭।୬ : ହରିୟାଣାରେ ଭାଜପା-ଜେଜେପି ମିଳିତ ମଞ୍ଚରେ ବିଦ୍ରୋହର ଖବର ପଦାରେ ପଡ଼ିଛି। ଜନନାୟକ ଜନତା ପାଟି(ଜେଜେପି) ସୁପ୍ରିମୋ ଦୁଶ୍ୟନ୍ତ ଚୌତାଲାଙ୍କ ଉଚାନକାଲାନ ବିଧାନସଭା ଆସନ ନେଇ ବିବାଦ ଦେଖାଦେଇଛି। ହରିୟାଣାର ଭାଜପା ଦାୟିତ୍ୱରେ ଥିବା ବିପ୍ଲବ ଦେବ ଦଳର ନେତା ପ୍ରେମଲତାଙ୍କୁ ଉଚାନକାଲନ ଆସନରୁ ପରବର୍ତ୍ତୀ ବିଧାୟକ ପ୍ରାର୍ଥୀ ଭାବେ ନାମିତ କରିଛନ୍ତି। ଏହା ପରେ ଦୁଇ ଦଳର ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଥିଲା।

ଭାଜପା ବିରୋଧରେ ଜେଜେପି ନେତାଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଜେଜେପି ରାଜ୍ୟ ସଭାପତି ନିଶାନ ସିଂ ଭାଜପାକୁ ଟାର୍ଗେଟ କରି କହିଛନ୍ତି ଏହି ମେଣ୍ଟ କୌଣସି ଅନୁଗ୍ରହ କିମ୍ବା ମାଗଣାରେ କରାଯାଇ ନାହିଁ। ହରିୟାଣା ରାଜ୍ୟର ଦ୍ରୁତ ବିକାଶ ଏବଂ ସ୍ଥିର ସରକାର ଦେବା ପାଇଁ ଏହା କରାଯାଇଥିଲା। ଆମର ଭାଜପା ସହ ମେଣ୍ଟ ରହୁ କି ନ ରହୁ ସେଥିପ୍ରତି ନାହିଁ, କିନ୍ତୁ ଦୁଶ୍ୟନ୍ତ କେବଳ ଉଚାନକାଲାନରୁ ହିଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଏହାର ଜବାବରେ ବିପ୍ଲବ ଦେବ ଜେଜେପି ଉଦ୍ଦେଶ୍ୟରେ କହିଛନ୍ତି ଆମ ଦଳ ସହ ମିଶି ଜେଜେପି କୌଣସି ଅନୁକମ୍ପା ପ୍ରଦର୍ଶନ କରି ନାହିଁ। ଆମ ଦଳ ଅନେକ ଜେଜେପି ବିଧାୟକଙ୍କୁ ମନ୍ତ୍ରୀ କରିଛୁ। ମିଳିତ ମେଣ୍ଟକୁ ବଜାୟ ରଖାଯିବ କି ନାହିଁ, ସେ ବିଷୟରେ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ଗ୍ରହଣ କରିବେ। ବିପ୍ଲବ ଫରିଦାବାଦ କାର୍ଯ୍ୟକ୍ରମରେ କହିଛନ୍ତି ମୋ ପେଟରେ କୌଣସି ଯନ୍ତ୍ରଣା ନାହିଁ। ଏନେଇ ଦୁଶ୍ୟନ୍ତଙ୍କର କିଛି ଚିନ୍ତା କରିବାର ନାହିଁ। ବାସ୍ତବରେ, ପୂର୍ବରୁ ଦୁଶ୍ୟନ୍ତ ବିପ୍ଲବଙ୍କ ନାମ ନ ନେଇ କହିଥିଲେ ଯଦି କେହି ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ମୁଁ ଏଥିପାଇଁ ଔଷଧ ଦେଇ ପାରିବି ନାହିଁ।

Share