Categories: ଜାତୀୟ

ଯୋଗକୁ ନେଇ କଂଗ୍ରେସରେ ଫାଟ, ଥରୁର ମୋଦିଙ୍କୁ କଲେ ପ୍ରଶଂସା…

ନୂଆଦିଲ୍ଲୀ,୨୧।୬ : ଯୋଗକୁ ନେଇ କଂଗ୍ରେସରେ ଫାଟ ଦେଖାଦେଇଛି। ଦଳ ଏବଂ ବରିଷ୍ଠ ନେତା ଶଶି ଥରୁର ପରସ୍ପର ବିରୋଧାତ୍ମକ ମନ୍ତବ୍ୟ ଦେଇଛନ୍ତି। ଯୋଗକୁ ଲୋକପ୍ରିୟ କରିବାରେ କଂଗ୍ରେସ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଅବଦାନକୁ ବୁଧବାର ମନେ ପକାଇଥିବାବେଳେ ଦଳର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି ମିଳିତ ଜାତିସଂଘ ମାଧ୍ୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାବେଳେ ଆମେ ସେହି ସମସ୍ତ ପ୍ରୟାସକୁ ଚିହ୍ନିବା ଏବଂ ପ୍ରଶଂସା କରିବା ଉଚିତ।

ଏହାପୂର୍ବରୁ କଂଗ୍ରେସ ଏକ ଟୁଇଟ କରି କହିଥିଲା, ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତଥା ଏହାକୁ ଜାତୀୟ ନୀତିର ଏକ ଅଂଶ ଭାବରେ ପରିଣତ କରିଥିବା ପଣ୍ଡିତ ନେହେରୁଙ୍କୁ ଆମେ ଧନ୍ୟବାଦ ଦେଉଛୁ। ପାର୍ଟି କହିଥିଲା ଆମର ଶାରୀରିକ ତଥା ମାନସିକ ସୁସ୍ଥତା ମଧ୍ୟରେ ପ୍ରାଚୀନ କଳା ଏବଂ ଦର୍ଶନର ମହତ୍ତ୍ୱକୁ ପ୍ରଶଂସା କରିବା ଓ ଏହାକୁ ଆମ ଜୀବନରେ ଅନ୍ତର୍ଭୁକ୍ତ କରିବା ଲାଗି ପଦକ୍ଷେପ ନେବା ଜରୁରୀ। କଂଗ୍ରେସ ଏକ ଫଟୋଗ୍ରାଫ ମଧ୍ୟ ଶେୟାର କରିଥିଲା ଯେଉଁଥିରେ ନେହେରୁ ଶୀର୍ଷାସନ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଥିଲା।

କଂଗ୍ରେସ ଟୁଇଟକୁ ଟ୍ୟାଗ କରି ଥରୁର କହିଛନ୍ତି, ପ୍ରକୃତରେ ମିଳିତ ଜାତିସଂଘ ମାଧ୍ୟମରେ ଅନ୍ତର୍ଜାତୀୟ ଯୋଗ ଦିବସକୁ ଅନ୍ତର୍ଜାତୀୟ କରି ଯୋଗକୁ ପୁନର୍ଜୀବିତ ତଥା ଲୋକପ୍ରିୟ କରିଥିବା ଆମର ନିଜ ସରକାର ସମେତ ସେହି ସମସ୍ତଙ୍କ ଅବଦାନକୁ ମଧ୍ୟ ଆମେ ସ୍ବୀକାର କରିବା ଆବଶ୍ୟକ। ଏଥିମଧ୍ୟରେ ଆମ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟର ଅବଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

Share