Categories: ଜାତୀୟ

ଇଣ୍ଡିଆ ମେଣ୍ଟରେ ଫାଟ: ସବୁଠାରୁ ବଡ଼ ଝଟ୍‌କା ରାହୁଲଙ୍କୁ ଦେଇଦେଲେ ଅଖିଳେଶ

ନୂଆଦିଲ୍ଲୀ,୯।୧୦: ହରିୟାଣାରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିବା ପରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛନ୍ତି। କଂଗ୍ରେସ ହରିୟାଣାରେ ୩୯ ଆସନ ଜିତିଥିବା ବେଳେ ଭାଜପା ହ୍ୟାଟ୍ରିକ ବିଜୟ ହାସଲ କରିଛି। ଏପରି ପରାଜୟ ପରେ ପ୍ରଥମେ ଏଏପି ପରେ ଉଦ୍ଧବ ଠାକରେଙ୍କ ଶିବସେନା ସହଯୋଗୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏବେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମଧ୍ୟ କଂଗ୍ରେସକୁ ବଡ଼ ଝଟ୍‌କା ଦେଇଛି।

ଆଗକୁ ଉତ୍ତର ପ୍ରଦେଶ ଉପ ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ ଓ ଏସପି ଇଣ୍ଡିଆ ମେଣ୍ଟର ସଦସ୍ୟ। ତଥାପି କଂଗ୍ରେସ ସହ ବିନା ଆଲୋଚନାରେ ଏସପି ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା ୧୦ ବିଧାନସଭା ଆସନର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଦେଇଛି। ଦଳ ପକ୍ଷରୁ ୧୦ଟି ଆସନ ମଧ୍ୟରୁ ୬ଟି ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। କଂଗ୍ରେସ ଏହି ୧୦ ଆସନରୁ ୫ଟିରେ ଲଢିବାକୁ ଚାହୁଁଥିଲା। ହେଲେ ଏସପି ଲୋକ ସଭାରେ ଭଲ ପ୍ରଦର୍ଶନ କରିଥିବାରୁ ଦଳ ପକ୍ଷରୁ ୬ଟି ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି।

ସୂଚନାଥାଉ କି, ଲୋକ ସଭାରେ ଏସପି ଉତ୍ତର ପ୍ରଦେଶର ୬୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୩୭ଟିରେ ଜିତିଥିଲା। କଂଗ୍ରେସ ୧୭ଟି ଆସନରେ ପ୍ରାର୍ଥୀ ଦେଇ ୬ଟିରେ ବାଜିମାତ କରିଥିଲା। ଏହି ସଂଖ୍ୟା ଆଧାରରେ ଉପ ନିର୍ବାଚନ ପାଇଁ ଏସପି ମାତ୍ର ୩ଟି ଆସନ କଂଗ୍ରେସକୁ ଅଫର କରିଥିଲା। ଏହାକୁ ନେଇ ଟଣାଓଟରା ଚାଲିଥିବା ବେଳେ ଆଜି ଦଳ ୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଏହାକୁ ନେଇ କଂଗ୍ରେସ ତାଜୁବ ହୋଇ ଯାଇଛି।

ଏ ସମ୍ପର୍କରେ ଏସପି ନେତା ରବିଦାସ ମହରୋତ୍ରା କହିଛନ୍ତି, ଉତ୍ତର ପ୍ରଦେଶ ଉପ ନିର୍ବାଚନରେ ଭାଜପାକୁ ହରାଇବାର କ୍ଷମତା ରଖିଥିବା ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। କଂଗ୍ରେସ ସହ ବାକି ୪ ଆସନ ପାଇଁ କଥାବାର୍ତ୍ତା ଚାଲିଛି। ଆମର ଆଶା କଂଗ୍ରେସ ମେଣ୍ଟ କରିବ। ହରିୟାଣା ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି, ଯଦି କଂଗ୍ରେସ ହରିୟାଣାରେ ଏଏପି ଓ ଏସପି ସହ ମେଣ୍ଟ କରିଥାଆନ୍ତା, ତା’ହେଲେ ଇଣ୍ଡିଆ ମେଣ୍ଟ ଆଜି ସେଠାରେ କ୍ଷମତା ଦଖଲ କରିଥାଆନ୍ତା। କଂଗ୍ରେସ ହରିୟାଣରେ ଗୋଟିଏ ବି ସିଟ ଏସପିକୁ ଛାଡି ନାହିଁ। କିନ୍ତୁ ପୂରା ରାଜ୍ୟ ଭାଜପାକୁ ଦେଇଦେଲା। ଆମେ ଭାଜପାକୁ ଉତ୍ତର ପ୍ରଦେଶ ଉପ ନିର୍ବାନରେ ହରାଇବାକୁ ଚାହୁଁଛୁ। ତେଣୁ ଆମେ ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛୁ।

Share