Categories: ଜାତୀୟ

ଇଣ୍ଡିଆ ମେଣ୍ଟରେ ଫାଟ! ହରିୟାଣା ଫଳାଫଳ ପରେ ରାହୁଲଙ୍କୁ କମେଣ୍ଟ ମାରିଲେ କେଜରିଓ୍ବାଲ-ଶିବସେନା

ନୂଆଦିଲ୍ଲୀ,୯।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ଼ ପରାଜୟର ସମ୍ମୁଖୀନ କରିଛି। ୯୦ ଆସନରେ ଭାଜପା ୪୭ ଆସନ ପାଇଥିବାବେଳେ କଂଗ୍ରେସ ମାତ୍ର ୩୯ଟି ଆସନ ପାଇ ପାରିଛି। ଏନେଇ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ କଂଗ୍ରେସକୁ ନିଶାଣ କରିଛନ୍ତି। କେବଳ ଆମ ଆଦମୀ ପାର୍ଟି ନୁହେଁ ଶିବସେନା(ଉଦ୍ଧବ ଗୋଷ୍ଠୀ) ମଧ୍ୟ କଂଗ୍ରେସକୁ କମେଣ୍ଟ ମାରିଛି।

ହରିୟାଣା ପରାଜୟ ପରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିଜ ରଣନୀତି ବିଷୟରେ ପୁନର୍ବିଚାର କରିବାକୁ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର ଏଏପି ମୁଖ୍ୟ ଅରବିନ୍ଦ କେଜରିୱାଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନ ଫଳାଫଳର ସବୁଠାରୁ ବଡ ଶିକ୍ଷା ହେଉଛି ଯେ ନିର୍ବାଚନରେ କେବେବି ଆତ୍ମବିଶ୍ୱାସୀ ହେବା ଉଚିତ ନୁହେଁ।

କେଜରିୱାଲ ଆହୁରି କହିଛନ୍ତି, ଦେଖନ୍ତୁ ହରିୟାଣା ନିର୍ବାଚନର ଫଳାଫଳ କ’ଣ? ସବୁଠୁ ବଡ ଶିକ୍ଷା ହେଉଛି ଯେ ନିର୍ବାଚନରେ କେହି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ ନୁହେଁ। କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ। ପ୍ରତ୍ୟେକ ନିର୍ବାଚନ ଏବଂ ପ୍ରତ୍ୟେକ ଆସନ କଷ୍ଟକର। କହିରଖୁଛୁ କି, ହରିୟାଣାରେ ଆସନ ବାଣ୍ଟିବାରେ ମତଭେଦ ଥିବାରୁ AAP କଂଗ୍ରେସ ସହିତ ଆସନ ବୁଝାମଣା କରିବାରେ ବିଫଳ ହୋଇଥିଲା।

ଶିବସେନା (ୟୁବିଟି) ନେତା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରରେ ହରିୟାଣା ନିର୍ବାଚନ ଫଳାଫଳର କୌଣସି ପ୍ରଭାବ ପଡ଼ିବ ନାହିଁ। ଆସନ୍ତା ମାସରେ ମହାରାଷ୍ଟ୍ରରେ ନିର୍ବାଚନ ହେବାର ସମ୍ଭାବନା ରହିଛି। ତେବେ ହରିୟାଣାରେ ଭାଜପା ବିରୋଧରେ କଂଗ୍ରେସ ସିଧାସଳଖ ଲଢେେଇରେ ଆଶାଠାରୁ କମ ପ୍ରଦର୍ଶନ କରିଛି। ତେଣୁ କଂଗ୍ରେସ ଏହାର ନିର୍ବାଚନ ରଣନୀତି ଉପରେ ପୁନର୍ବିଚାର କରିବା ଉଚିତ ବୋଲି ସେ କହିଛନ୍ତି।

ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା କହିଛନ୍ତି ଯେ, ହରିୟାଣାର ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଗମ୍ଭୀରତାର ସହ ଅନୁଧ୍ୟାନ କରିବା ଉଚିତ। ଏଥିସହ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ନିର୍ବାଚନରେ ବିରୋଧୀ ଦଳ ଇଣ୍ଡିଆର ସମସ୍ତ ସହଯୋଗୀଙ୍କୁ ପରାମର୍ଶ ଗ୍ରହଣ କରିବା ଉଚିତ।

ତେବେ ଏହାର ଉତ୍ତର ରଖି ଜୟରାମ ରମେଶ କହିଛନ୍ତି, ମୁଁ ମନେ ପକାଇବାକୁ ଚାହୁଁଛି ଯେ ଲୋକ ସଭା ନିର୍ବାଚନରେ ମହାରାଷ୍ଟ୍ରରେ କଂଗ୍ରେସ ପ୍ରଥମ ସ୍ଥାନରେ ଥିଲା। ଏକାଠି ହେବାର ଏକ ଧର୍ମ ଅଛି। ଯେଉଁମାନେ ନିଜ ମଧ୍ୟରେ କଥାବାର୍ତ୍ତା କରନ୍ତି, ସେମାନେ ପରସ୍ପର ସହ ମଧ୍ୟ କଥା ହୁଅନ୍ତି କିନ୍ତୁ ଗଣମାଧ୍ୟମ ମାଧ୍ୟମରେ ନୁହେଁ । ମହାରାଷ୍ଟ୍ରରେ ମହାମେଣ୍ଟକୁ ମଜବୁତ କରିବା ଆମର କର୍ତ୍ତବ୍ୟ। ହେଲେ ଅନ୍ୟମାନଙ୍କ ପରି ଆମେ ଆମର ସହଯୋଗୀ ଦଳ ବିଷୟରେ କିଛି କହିବୁ ନାହିଁ।

Share