Categories: ଜାତୀୟ

ଇଣ୍ଡିଆ ମେଣ୍ଟରେ ଫାଟ, କାବେରୀ ଜଳ ବିବାଦ ନେଇ ତାମିଲନାଡୁ-କର୍ନାଟକ ମୁହାଁମୁହିଁ…

ଚେନ୍ନାଇ/ବେଙ୍ଗାଲୁରୁ,୧୨।୮ : କାବେରୀ ଜଳ ବିବାଦ ନେଇ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସରକାର କର୍ନାଟକ ସହ ଚାଲିଥିବା କାବେରୀ ଜଳ ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁୁ ନିଷ୍ପତ୍ତି ନେଇଛନ୍ତି।

ପଡୋଶୀ ରାଜ୍ୟ ଏହାର ସ୍ଥିତି ବଦଳାଇଛନ୍ତି ଏବଂ କମ ପରିମାଣର ଜଳ ଛାଡୁଛି ବୋଲି ଷ୍ଟାଲିନ ସରକାର କହିଛନ୍ତି। ୧୫ ହଜାର କ୍ୟୁସେକ ଜଳ ତୁଳନାରେ କେବଳ ୮ ହଜାର କ୍ୟୁସେକ ଜଳ ଛଡ଼ାଯାଉଛି। ଦିଲ୍ଲୀରେ ଅନୁଷ୍ଠିତ କାବେରୀ ଜଳ ପରିଚାଳନା ପ୍ରାଧିକରଣ ବୈଠକରେ ତାମିଲନାଡୁର ଜଳ ସମ୍ପଦ ମନ୍ତ୍ରୀ ଦୁରାଇମୁରୁଗାନ କହିଛନ୍ତି ରାଜ୍ୟ ଏହାର ଆବଶ୍ୟକତାକୁ ଉପସ୍ଥାପନ କରିଛି। ଏହା ସତ୍ତ୍ୱେ କର୍ନାଟକ ନିଜର ଆଭିମୁଖ୍ୟ ବଦଳାଇ କହିଛି କେବଳ ୮ ହଜାର କ୍ୟୁସେକ ଜଳ ଛଡାଯିବ। ଏହା ଅଗଷ୍ଟ ୨୨ ପର୍ଯ୍ୟନ୍ତ ଜାରି ରହିବ।

ମନ୍ତ୍ରୀ କହିଛନ୍ତି ଏହାପୂର୍ବରୁ ଅଗଷ୍ଟ ୧୦ରେ କାବେରୀ ଜଳ ନିୟାମକ କମିଟି ସର୍ବସମ୍ମତି କ୍ରମେ କର୍ନାଟକ ଦ୍ୱାରା ୧୫ ଦିନ ପାଇଁ ୧୫ ହଜାର କ୍ୟୁସେକ ଜଳ ଛଡାଯିବ ବୋଲି ନିଷ୍ପତ୍ତି ନେଇଛି। ମନ୍ତ୍ରୀ ଦୁରାଇମୁରୁଗାନ କହିଛନ୍ତ ତେଣୁ ତାମିଲନାଡୁ ସରକାରଙ୍କ ପାଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ। ଖୁବ ଶୀଘ୍ର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାଏର କରାଯିବ।

ତାମିଲନାଡୁର ଶାସକ ଡିଏମକେ ଏବଂ କର୍ନାଟକର ଶାସକ ଦଳ କଂଗ୍ରେସ, ଉଭୟ ଇଣ୍ଡିଆ ମେଣ୍ଟର ପ୍ରମୁଖ ସହଯୋଗୀ। ଭାଜପା ବିରୋଧରେ ଗଠିତ ବିରୋଧୀ ଦଳରେ ଦେଖା ଦେଇଥିବା ଫାଟ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ମଧ୍ୟ ଚିନ୍ତିତ ଅଛନ୍ତି।

Share