Categories: ଜାତୀୟ

ଏନଡିଏରେ ଫାଟ! ହିମନ୍ତ ଶର୍ମାଙ୍କୁ କଡ଼ା ଟାର୍ଗେଟ କଲେ ଜେଡିୟୁ-ଏଲଜେପି

ନୂଆଦିଲ୍ଲୀ,୧।୯: ଆସାମ ବିଧାନସଭାରେ ମୁସଲିମ ବିଧାୟକ ନମାଜ ପଢିବା ବନ୍ଦ କରିବା ଘଟଣାରେ ଜାତୀୟ ରାଜନୀତି ସରଗରମ ରହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏପରି ନିଷ୍ପତ୍ତିରେ ରାଜନୀତି ଜୋର ଧରିଛି। ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଏହାକୁ ନେଇ ବିରୋଧ କରୁଥିବାବେଳେ ଏନଡିଏ ୨ ମୁଖ୍ୟ ସହଯୋଗୀ ଦଳ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏନଡିଏର ପ୍ରମୁଖ ସହଯୋଗୀ ଜେଡିୟୁ ଏବଂ ଏଲଜେପି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ କଡ଼ା ଟାର୍ଗେଟ କରିଛି। ମୁସଲିମ ବିଧାୟକଙ୍କ ପାଇଁ ଦୁଇ ଘଣ୍ଟା ନମାଜ ବିରତିକୁ ବନ୍ଦ କରିବାକୁ ୨ଦଳ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ସଫେଇ ଦେବା ଉଦ୍ଦେଶ୍ୟରେ କହିଛନ୍ତି ଯେ, ଏହି ନିଷ୍ପତ୍ତି ହିନ୍ଦୁ ଏବଂ ମୁସଲମାନ ବିଧାୟକଙ୍କ ମଧ୍ୟରେ ସହମତି ଭିତ୍ତିରେ ହୋଇଛି।

ଜେଡିୟୁ କାର୍ଯ୍ୟକର୍ତ୍ତା ନୀରଜ କୁମାର ଆସାମ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଦାରିଦ୍ର୍ୟ ଦୂରୀକରଣ ଏବଂ ବନ୍ୟା ରୋକିବା ଭଳି ପ୍ରସଙ୍ଗ ଉପରେ ଶର୍ମା ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଦେଶର ସମ୍ବିଧାନର ମୂଳ ନୀତି ବିରୁଦ୍ଧ ଅଟେ। ପ୍ରତ୍ୟେକ ଧାର୍ମିକ ବିଶ୍ୱାସ ପରମ୍ପରାକୁ ବଞ୍ଚାଇ ରଖିବାର ଅଧିକାର ରହିଛି। ମୁଁ ସିଏମ ଶର୍ମାଙ୍କୁ ପଚାରିବାକୁ ଚାହୁଁଛି, ଆପଣ ରମଜାନ ସମୟରେ ଶୁକ୍ରବାର ଛୁଟିଦିନ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି ଏବଂ ଦାବି କରୁଛନ୍ତି ଯେ ଏହା କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ। ହିନ୍ଦୁ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ମା କାମାକ୍ଷା ମନ୍ଦିର। ଆପଣ ସେଠାରେ ବଳିପ୍ରଥା ଉପରେ ପ୍ରତିବନ୍ଧକ ଲଗାଇ ପାରିବେ କି?

ଜେଡିୟୁର ବରିଷ୍ଠ ନେତା କେ ସି ତ୍ୟାଗୀ କହିଛନ୍ତି, ସମ୍ବିଧାନର ବିଚାର, ଅଭିବ୍ୟକ୍ତି, ବିଶ୍ୱାସ, ଏବଂ ଉପାସନର ସ୍ବାଧୀନତା ପ୍ରଦାନ କରାଯାଇଛି। ଯାହା ସମ୍ବିଧାନର ଆତ୍ମା ଏବଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରିବ ସେପରି ନିଷ୍ପତ୍ତି ନେବା ଉଚିତ ନୁହେଁ। ଏଲଜେପିର ଦିଲ୍ଲୀ ସଭାପତି ରାଜୁ ତିୱାରୀ ମଧ୍ୟ ଆସାମ ସରକାରଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, ଧାର୍ମିକ ପ୍ରଥା ସ୍ବାଧୀନତାକୁ ସମ୍ମାନ ଦିଆଯିବା ଆବଶ୍ୟକ।

Share