ନୂଆଦିଲ୍ଲୀ,୩।୧: ଭାରତୀୟ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି। ଏପରିକି ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଅନେକ ସପ୍ତାହ ଧରି ବିବାଦ ଲାଗି ରହିଛି। ଏସବୁ ମଧ୍ୟରେ ଅଧିନାୟକ ରୋହିତ ନିଜକୁ ସିଡନୀ ଟେଷ୍ଟରୁ ଓହରିଯିବାର ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ କ୍ରିକେଟ ଦଳ ମଧ୍ୟରେ ଗ୍ରୁପିଜିମ୍ ଆରମ୍ଭ ହୋଇଛି ଏବଂ ଖେଳାଳିମାନେ ଗ୍ରୁପ୍ ହୋଇ ବୁଲୁଥିବା ଦେଖାଯାଉଛି।
ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ, ଭାରତୀୟ ଦଳ ମଧ୍ୟରେ ଦୀର୍ଘ ଦିନ ଧରି ଟେନସନ ଚାଲିଆସୁଛି। ଟିମ ଇଣ୍ଡିଆର ଖେଳାଳିମାନେ ପରସ୍ପର ସହ ଖାଇବାକୁ କିମ୍ବା ପରସ୍ପର ସହ ବାହାରକୁ ଯିବାକୁ ପ୍ରସ୍ତୁତ ନୁହଁନ୍ତି। ଏହା ବଦଳରେ ଖେଳାଳିମାନେ ଛୋଟ ଗ୍ରୁପ୍ ଗଠନ କରି ରେଷ୍ଟୁରାଣ୍ଟ ଯାଉଛନ୍ତି। କୋଚ ଗମ୍ଭୀର ହୋଟେଲରୁ ବାହାରୁ ନ ଥିବାବେଳେ ଅନ୍ୟ ଖେଳାଳିମାନେ ଗ୍ରୁପ୍ ହୋଇ ବୁଲୁଥିବା ଦେଖାଯାଇଥିଲା। ଖେଳାଳିଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଆଗକୁ ବଢାଇବାକୁ, ସପୋର୍ଟ ଷ୍ଟାଫର ଜଣେ ବରିଷ୍ଠ ସଦସ୍ୟ ସମସ୍ତଙ୍କ ପାଇଁ ଡ୍ରିଙ୍କ୍ସ କିଣିବା ପାଇଁ ତାଙ୍କ କ୍ରେଡିଟ କାର୍ଡ ମଧ୍ୟ ପ୍ରଦାନ କରିଥିେ। କିନ୍ତୁ ତାଙ୍କର ଏହି ପ୍ରୟାସ ବିଫଳ ହୋଇଥିଲା।