ଫାଟ ମରାମତି, ମୋରମ ପକାଇ ଲୁଚାଇବା ଉଦ୍ୟମ

ଲୋଇସିଂହା, ୧୧।୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ମିଶନ ଶକ୍ତି ଭବନ କାର୍ଯ୍ୟକ୍ଷମ ହୋଇନାହିଁ। ହେଲେ କାର୍ଯ୍ୟାଳୟ ବ୍ୟବହାର ପୂର୍ବରୁ କାନ୍ଥ ଚାରିପଟେ ଫାଟ ସୃଷ୍ଟି ହୋଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ କୋଠାର ଏପରି ଦୂରାବସ୍ଥାକୁ ଦେଖିଲା ପରେ ସ୍ଥାୟିତ୍ୱକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଥିଲେ। ଏ ସଂକ୍ରାନ୍ତରେ ଧରିତ୍ରୀରେ କାର୍ଯ୍ୟକ୍ଷମ ହୋଇନି, କାନ୍ଥରେ ଫାଟ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ବିଭାଗୀୟ ଅଧିକାରୀ ତପତ୍ରତା ଦେଖାଇଛନ୍ତି। ଫାଟକ ମରାମତି କାମ ଚାଲିଛି। ଏହାବ୍ୟତୀତ ସେହି ସ୍ଥାନରେ ମୋରମ ପକାଇ ଦୋଷ ଲୁଚାଇବାକୁ ଉଦ୍ୟମ ଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
୨୦୨୨-୨୩ ଆର୍ଥିକ ବର୍ଷରେ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ବ୍ଲକ (ଡୁଡୁକା) ପରିସରରେ ମିଶନ ଶକ୍ତି ଭବନ ନିର୍ମାଣ ହୋଇଛି। କୋଠା ନିର୍ମାଣ ବାବଦକୁ ୫୦ଲକ୍ଷ ବ୍ୟୟ ହୋଇଛି। ଗତ ଜୁଲାଇ ୭ ତାରିଖରେ ନବନିର୍ମିତ ମିଶନ ଶକ୍ତି ଭବନକୁ ଜିଲା ପରିଷଦ ଅଧ୍ୟକ୍ଷା ଦେବାକୀ ସାହୁ ଲୋକାର୍ପଣ କରିଥିଲେ। ଲୋକାର୍ପଣର ଅଳ୍ପଦିନରେ କୋଠାର ଅବ୍ୟସ୍ଥାକୁ ନେଇ ଜିଲା ପରିଷଦ ସଭ୍ୟା ବୀଣାପାଣି ଦାଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାବ୍ୟତୀତ କୋଠା କାମ ଦୁର୍ନୀତିକୁ ନେଇ ବ୍ଲକ ଭାଜପା ପକ୍ଷରୁ ଅଙ୍ଗୁଳି ଉଠାଇବା ସହ ଏଠି କୁଆଡେ ଗଲା ୫-ଟି ବୋଲି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ସେତେବେଳେ ଏସ୍‌ଡିଓ ଉଦୟଚରଣ ବେହେରା ପଚାରିବାରୁ ସେ ନିଜେ କ୍ଷେତ୍ର ପରିଦର୍ଶନ କରିବେ ବୋଲି କହିଥିଲେ। ଅଦ୍ୟାବଧି ସେ କ୍ଷେତ୍ର ପରିଦର୍ଶନ କରି ନାହାନ୍ତି। ମରାମତି କରି ଦୋଷ ଲୁଚାଇବାକୁ ପ୍ରୟାସ କରାଯାଉଥିବା ଅଭିଯୋଗ ହେଉଛି। ମିଶନ ଶକ୍ତି ଭବନ ଓ ନିର୍ମାଣାଧୀନ ବ୍ଲକ ସଭାଗୃହ ମଝିରେ ମୋରମ ପକାଇ ଦିଆଯାଉଛି। ଫଳରେ ଲୋକଙ୍କୁ ଫାଟ ମରାମତି ସ୍ଥାନ ଆଉ ଦେଖା ଯିବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଦୁର୍ଯ୍ୟୋଧନ କୁମ୍ଭାର କହିଛନ୍ତି ସେତେବେଳେ ମୋରମ ପକାଯାଇ ପାରି ନ ଥିବାରୁ ଏସବୁ ସମସ୍ୟା ହେଲା। ମରାମତି ଚାଲିଛି ୨ରୁ ୩ଦିନ ମଧ୍ୟରେ କାମ ସରିଯିବ। ଫ୍ରେମ ଷ୍ଟକଚରରେ ଏସବୁ ଜିଣିଷ ହୋଇଥାଏ, କିଛି ଅସୁବିଧା ହେବନାହିଁ ବୋଲି କହିଛନ୍ତି। ସାଧାରଣ ଲୋକେ କ’ଣ କହିବେ, କେଉଁଟା ସୁରକ୍ଷିତ ଓ ଅସୁରକ୍ଷିତ ଆମେ କହି ପାରିବୁ ବୋଲି କହିଛନ୍ତି।