କେନ୍ଦ୍ରାପଡ଼ା,୨୧ା୧୦(ଜଗନ୍ନାଥ ଧଳ): ଆଗାମୀ କିଛିଦିନ ମଧ୍ୟରେ ବିରଳ ଅଲିଭ ରିଡ୍ଲେ କଇଁଛ ବିଶ୍ୱପ୍ରସିଦ୍ଧ ଗହୀରମଥାରେ ଚଳପ୍ରଚଳ ହେବେ। ଅନୁକୂଳ ପାଗ ଓ ପରିବେଶ ଥିଲେ ଏହି ପ୍ରଜନନସ୍ଥଳ ଲକ୍ଷ ଲକ୍ଷ ଶାବକରେ ପରିପୂର୍ଣ୍ଣ ହେବ। ବିରଳ କଇଁଛଙ୍କ ସୁରକ୍ଷା ପାଇଁ ଗହୀରମଥାର ସାମୁଦ୍ରିକ ଅଞ୍ଚଳ ଆସନ୍ତା ନଭେମ୍ବର ପହିଲାରୁ ମେ’ ଶେଷ ପର୍ଯ୍ୟନ୍ତ କଟକଣା ରହିବ। ଏହି କଟକଣା ଅଲିଭ ରିଡ୍ଲେ କଇଁଛଙ୍କୁ ସୁରକ୍ଷା ଦେଉଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀ ଏଥିରେ ଥିବା କେତେକ ସମସ୍ୟା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମୁଦ୍ର ମଧ୍ୟରେ ୨୦ କିମି ସୀମାରେଖା ଥିଲେ ମଧ୍ୟ ଏହାର ବାସ୍ତବିକ ଚିହ୍ନଟ ବ୍ୟବସ୍ଥା କରାଯାଉନାହିଁ। ସେହିପରି ବିଭିନ୍ନ ସମୟରେ ଏହି ସୀମାରେଖା ପାଇଁ ବନ ବିଭାଗ, ତଟରକ୍ଷୀ ବାହିନୀ ସହିତ ମତ୍ସ୍ୟଜୀବୀଙ୍କ ମତଭେଦ ସୃଷ୍ଟି ହେଉଛି। ଏପରିକି ସମୁଦ୍ର ମଝିରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳ ଏକ ସୀମିତ ଓ ନିର୍ଦ୍ଦିଷ୍ଟ ଅଞ୍ଚଳ ହୋଇଥିବାରୁ ସମୁଦ୍ରର ସୀମାରେଖା ପାଇଁ ଅଧିକ ସଂଖ୍ୟକ ବଇଁଆ (ପ୍ଲାଷ୍ଟିକର ଭାସମାନ ବଲ ସମୂହ) ବ୍ୟବହାର ପାଇଁ ମତ୍ସ୍ୟଜୀବୀ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ମତ୍ସ୍ୟଜୀବୀ ସଙ୍ଗଠନର କର୍ମକର୍ତ୍ତା ଅର୍ଜୁନ ମଣ୍ଡଳ, ସୁମନ୍ତ ବିଶ୍ୱାଳ, ରତ୍ନାକର ଦାସ ପ୍ରମୁଖ କହିଛନ୍ତି, କଇଁଛଙ୍କ ପାଇଁ ଗହୀରମଥାରେ ୭ମାସ ଧରି କଟକଣା ଜାରି କରାଯାଉଛି। ଏହି ସମୟରେ ମହାନଦୀ ମୁହାଣରୁ ଧାମରା ପର୍ଯ୍ୟନ୍ତ ସମୁଦ୍ର ତଟଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ମନା ହେଉଛି। ତେବେ ୨୦ କିମିର ସୀମାରେଖାର ବ୍ୟାପକ ଚିହ୍ନଟ ବ୍ୟବସ୍ଥା ବନ ବିଭାଗ କରୁନାହାନ୍ତି। ଫଳରେ ମତ୍ସ୍ୟଜୀବୀଙ୍କ ସହ ସୁରକ୍ଷାବଳର ମତଭେଦ ହେଉଛି। ଏହିପରି ଏକ ଘଟଣାରେ ସମୁଦ୍ର ତଟରକ୍ଷୀ ବାହିନୀ ସହିତ ସଂଘର୍ଷ ସମୟରେ ବାଲେଶ୍ୱରର ଜଣେ ମତ୍ସ୍ୟଜୀବୀଙ୍କର ସମୁଦ୍ର ମଝିରେ ମୃତ୍ୟୁ ହୋଇଛି। ଏପରି ଗୁଳି ବିନିମୟରେ ପୂର୍ବରୁ ମଧ୍ୟ ୩ ମତ୍ସ୍ୟଜୀବୀ ଓ ଜଣେ ବନ କର୍ମଚାରୀ ପ୍ରାଣ ହରାଇଛନ୍ତି। ସେହିପରି ସୀମାରେଖା ଚିହ୍ନଟ ହେଉ ନ ଥିବାରୁ ବିଭିନ୍ନ ସମୟରେ ବନ ବିଭାଗ, ସାମୁଦ୍ରିକ ଥାନା ଓ ତଟରକ୍ଷୀ ବାହିନୀର ଆକ୍ରୋଶର ଶିକାର ହେଉଛନ୍ତି। ପ୍ରତିବର୍ଷ ୫ରୁ ଅଧିକ ଗିରଫ ହେଉଛନ୍ତି। ସୀମା ଚିହ୍ନଟ ଦ୍ୱାରା ଏହାର ସମାଧାନ ହୋଇପାରିବ। ସେହିପରି ସ୍ଥାନୀୟ ଅଧିବାସୀ ସାମୁଦ୍ରିକ ମାଛ ଉପରେ ନିର୍ଭର କରିଥାନ୍ତି। ତେବେ କଟକଣା ବାବଦ ମିଳୁଥିବା ଅର୍ଥ ପର୍ଯ୍ୟାପ୍ତ ହେଉନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରେଞ୍ଜର ପ୍ରଦୋଷ ମହାରଣାଙ୍କୁ ପଚାରିବାରେ ପ୍ରତ୍ୟେକ ବୋଟ, ଟ୍ରଲରରେ ଏବେ ଜିପିଏସ ଲାଗୁଛି। ଏଥିରୁ ସୀମା ଆକଳନ କରିବା କଥା। ତେବେ କୌଣସି ଏକ ଆଳ ଦେଖାଇ ସମୁଦ୍ରର ନିଷିଦ୍ଧାଞ୍ଚଳକୁ ପଶି ମାଛ ମାରିବା ଏମାନଙ୍କର ପ୍ରକୃତ ଉଦ୍ଦେଶ୍ୟ। ଏଥିପାଇଁ କଟକଣା ସମୟରେ ଶତାଧିକ ମାମଲା ରୁଜୁ ହେଉଥିବା ସେ ପ୍ରକାଶ କରିଛନ୍ତି।