ଜୁଆ ଆଡ୍ଡା ଉପରେ ଘନ ଘନ ଚଢାଉ: ୧୩ ଦିନରେ ୨୨୮ ଜୁଆଡି ଗିରଫ

ଛତ୍ରପୁର, ୧୭।୧୦(ଦିଲ୍ଲୀପ ସାମଲ): ବେଆଇନ ମଦ କାରାବାର ଓ ଚାଲିଥିବା ଜୁଆ ଆଡ୍ଡା ଗୁଡିକରେ ଘନ ଘନ ଚଢାଉ ଜାରି ରଖିଛି ଗଞ୍ଜାମ ପୋଲିସ । ବିଭିନ୍ନ ସମୟରେ ଏହି ଚଢାଉ ଜାରି ରଖାଯାଇଥିବା ବେଳେ ପାର୍ବଣ ଋତୁରେ ମଧ୍ୟ ଅତ୍ୟାଧିକ ଚଢାଉ କରାଯାଇଛି। ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ଗତ ୧୩ ଦିନ ( ଅକ୍ଟୋବର ୫ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ )ଧରି ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି। ବେଆଇନ ମଦ କାରବାର ନେଇ ୧୦୮୮. ୮୫ଲିଟର ବିଦେଶୀ, ଦେଶୀ ଓ ମହୁଲି ମଦ ଜବତ ସହ ୭୯ଟି ମାମଲା ରୁଜୁ କରାଯାଇଛି । ଏନେଇ ୭୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି କାର ୩ଟି ମୋଟର ସାଇକେଲ ଜବତ କରାଯାଇଛି। ସେହିପରି ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ୪୦ଟି ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୭ ଲକ୍ଷ୫୦ହଜାର ୫୯୫ଟଙ୍କା ଜବତ କରାଯିବା ସହିତ ୨୨୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ଏହା ସହିତ ୪୩ଟି ମୋବାଇଲ, ୪୧ଟି ମୋଟର ସାଇକେଲ, ୩ଟି କାର ଜବତ କରାଯାଇଥିବା ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି । ଆଗାମୀ ଦିନରେ ମଧ୍ୟ ଏପରି ଚଢାଉ ଜାରି ରହିବ ବୋଲି ସେ କହିଛନ୍ତି।

Share