ରାସ୍ତାରେ ଖାଲ, ବଢୁଛି ଦୁର୍ଘଟଣା

ଗୋପ,୧୯।୮(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ – କୋଣାର୍କ ରାସ୍ତାରେ ଦୀର୍ଘ ଦୁଇ ସପ୍ତାହ ଧରି ଏକ ବିରାଟ ଖାଲ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଏହି ଖାଲ ଯୋଗୁ ଦୁର୍ଘଟଣା ବଢ଼ିବା ପରେ ଶୁକ୍ରବାର ସ୍ଥାନୀୟ ଦୋକାନୀମାନେ ଖାଲ ଚାରିପଟେ ଏକ ନାଲିକନା ବାନ୍ଧିଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ଦୈନଦିନ ଏହି ରାସ୍ତା ଦେଇ କୋଣାର୍କ ସୂର୍ଯ୍ୟମନ୍ଦିର, ପୁରୀକୁ ଶହ ଶହ ଦେଶ ବିଦେଶର ପର୍ଯ୍ୟଟକମାନେ ଯାତାୟାତ କରୁଛନ୍ତି। ମାତ୍ର ଗୋପଠାରୁ କୋଣାର୍କ ପର୍ଯ୍ୟନ୍ତ ୧୫ କିଲୋମିଟର ରାସ୍ତାର ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଏପରି କି ଗୋପ ବଜାରର ଅନେକ ସ୍ଥାନ ସହିତ ବେଗୁନିଆ, କୁନ୍ଦୁରା, ଦଶବାଟିଆ, ଶାରଡା, ପାଟେଳିଆ ଛକ ନିକଟରେ ମଧ୍ୟ ଖାଲଖମା ରହିଛି। ବିଭିନ୍ନ ସମୟରେ ଏହି ଖାଲଖମା ଯୋଗୁ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି। ଗୋପ ବଜାରର ଦେବୀ ବଜାର ଓ ବଣିଆସାହି ନିକଟରେ ବଡ଼ ବଡ଼ ଦୁଇଟି ଖାଲ ହେବା ଫଳରେ ବର୍ଷା ପାଣି ଜମି ରହିଥିବାରୁ ଖାଲ ସ୍ଥାନ ଜାଣି ହେଉ ନାହିଁ। ଫଳରେ ଯାତାୟାତ କରୁଥିବା ପର୍ଯ୍ୟଟକ ଓ ସାଧାରଣ ଯାତ୍ରୀମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ରହିଛି। ଏପରି ଖାଲ ପ୍ରତି ସ୍ଥାନୀୟ ଲୋକେ ଗୋପ ପୂର୍ତ୍ତ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ସ୍ଥାନୀୟ ଦୋକାନୀମାନେ ନାଲିକନା ଦ୍ୱାରା କିଛି ଖାଲ ସ୍ଥାନକୁ ବାନ୍ଧି ବିପଦ ସଂକେତ ଦେଇଛନ୍ତି। ଏ ସମ୍ପର୍କରେ ଗୋପ ପୂର୍ତ୍ତ ବିଭାଗ ସେକ୍ସନ ଅଧିକାରୀ ରବିନ୍ଦ୍ର ଦଣ୍ତପତିଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର କାର୍ଯ୍ୟ କରାଯିବ ବୋଲି କହିଥିଲେ।

Share