ଧର୍ମଶାଳା,୧୨ା୬(ଡି.ଏନ.ଏ.): ପୂର୍ତ୍ତ ବିଭାଗ ପକ୍ଷରୁ ଧର୍ମଶାଳା-କବାଟବନ୍ଧ ରାସ୍ତାର ଇମାମନଗର ଗ୍ରାମ ନିକଟରେ ଗତ ମାସ ୧୮ତାରିଖରେ କୁଆଁରିଆ ସେତୁ ଉଦ୍ଘାଟନ ହୋଇଛି। ମାତ୍ର ଏହି ସେତୁକୁ ସଂଯୋଗ କରୁଥିବା ପିଚୁ ରାସ୍ତା ଫାଟି ଆଁ କରିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ ରବିବାର ସକାଳେ ତରବରିଆ ଭାବେ ବିଭାଗୀୟ ଯନ୍ତ୍ରୀଙ୍କ ନିର୍ଦ୍ଦେଶମତେ ସମ୍ପୃକ୍ତ ଠାକାଦାର ଉକ୍ତ ଫାଟକୁ ବାଲି ପକାଇ ବୁଜି ଦେଇଛନ୍ତି। ବାଲି ଆବରଣରେ ଫଟା ପିଚୁ ଲୁଚିଯାଇଛି ସିନା ହେଲେ ଏହାର ସ୍ଥାୟିତ୍ୱ ନେଇ ଅଞ୍ଚଳବାସୀ ପୁଣି ପ୍ରଶ୍ନ ଉଠାଇଛନ୍ତି।
ସେତୁଟି ନିର୍ମାଣ ପାଇଁ ଦୁଇଥର ଟେଣ୍ଡର ହୋଇଥିଲା। ଗତ ୭ ବର୍ଷ ତଳେ ନିର୍ମାଣ କାମ ନେଇଥିବା ଠିକା ସଂସ୍ଥା ନିମ୍ନମାନର କାମ କରିବା ସହ ଠିକ୍ ସମୟରେ ଶେଷ ନ କରିବାରୁ ଟେଣ୍ଡର ଅଧାରୁ ବାତିଲ କରିଦିଆଯାଇଥିଲା। ଏହାପରେ ପୁନର୍ବାର ଟେଣ୍ଡର କରାଯାଇଥିଲା। ଏକ ଠିକାସଂସ୍ଥା ୩କୋଟି ୮୦ ଲକ୍ଷ ୨୩ ହଜାର ଟଙ୍କା ବିନିଯୋଗରେ ଏହି ସେତୁ ନିର୍ମାଣ କରିଥିଲା। ରାସ୍ତାରେ ଦୈନଦିନ ଆଖପାଖ ୧୫ଟି ପଞ୍ଚାୟତର ଲୋକେ ଚାରି ଓ ଦୁଇ ଚକିଆ ଯାନରେ ଯାତାୟାତ କରିଥାନ୍ତି। ତେବେ ନୂତନ ଭାବେ ତିଆରି ହୋଇଥିବା ରାସ୍ତାର ଅବସ୍ଥା ୧୫ ଦିନ ମଧ୍ୟରେ ଯଦି ଏଭଳି ହୁଏ ତେବେ ଆଗକୁ କ’ଣ ହେବ ତାକୁ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।