ଦୁର୍ଘଟଣା ସ୍ଥଳର ସନ୍ଧାନ ମିଳିଲା, ଚିହ୍ନି ହେଉନି ମୃତଦେହ…

କାଠମାଣ୍ଡୁ, ୩୦।୫ : ନେପାଳର ସେନା ମୁସ୍ତାଙ୍ଗ ଜିଲାରେ ତାରା ଏୟାରଲାଇନ୍ସର ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ୱଂସାବଶେଷ ସମ୍ପର୍କରେ ସୂଚନା ପାଇଛି। ସେନାର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ବ୍ରିଗେଡିୟର୍‌ ନାରାୟଣ ସିଲୱାଲ କହିଛନ୍ତି ଯେ ସେନା ଏବଂ ଉଦ୍ଧାରକାରୀ ଦଳର କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ରହିଛନ୍ତି। ଏହା ସହ ଜଡିତ ସବିଶେଷ ତଥ୍ୟ ସମ୍ପର୍କରେ ଖୁବ ଶୀଘ୍ର ସୂଚନା ପ୍ରଦାନ କରାଯିବ। ସେ ଟୁଇଟ କରି କହିଛନ୍ତି ଯେ ଦୁର୍ଘଟଣା ସ୍ଥଳ ହେଉଛି ମୁସ୍ତାଙ୍ଗ ଜିଲାର ଥାସଙ୍ଗ-୨ର ସନୋସବେୟର ।

ମୁସ୍ତାଙ୍ଗର ମୁଖ୍ୟ ଜିଲା ଅଧିକାରୀ ନେତ୍ର ପ୍ରସାଦ ଶର୍ମା କହିଛନ୍ତି ଯେ ସର୍ଚ୍ଚ ଏବଂ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ସ୍ଥାନକୁ ଉଭୟ ବାୟୁ ଏବଂ ସ୍ଥଳଭାଗରେ ଯାଉଛନ୍ତି। ନେପାଳ ପୋଲିସ ଇନ୍ସପେକ୍ଟର ରାଜ କୁମାର ତମାଙ୍ଗଙ୍କ ନେତୃତ୍ୱରେ ଏକ ଟିମ ବିମାନ ଦ୍ୱାରା ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଧିକାରୀ କହିଛନ୍ତି, ଯାତ୍ରୀଙ୍କ ମୃତଦେହକୁ ଚିହ୍ନ ହେଉନାହିଁ। ମୃତଦେହଗୁଡ଼ିକ କ୍ଷତବିକ୍ଷତ ହୋଇ ଯାଇଛି। ପୋଲିସ ମୃତଦେହ ଉଦ୍ଧାର କରୁଛି।

ଅଧିକାରୀଙ୍କ କହିବାନୁସାରେ, ଖରାପ ପାଗ ଏବଂ ମେଘୁଆ ଆକାଶ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ସ୍ଥଳରେ ପହଞ୍ଚିବା କଷ୍ଟସାଧ୍ୟ ଥିଲା। କାନାଡା ନିର୍ମିତ ଏହି ବିମାନଟି ପୋଖରା ଠାରୁ ନେପାଳର ପ୍ରସିଦ୍ଧ ପର୍ଯ୍ୟଟନ ସହର ଜୋମସୋମକୁ ଯାଉଥିଲା।

ବିମାନ ସେବା ଦ୍ୱାରା ପ୍ରକାଶିତ ଯାତ୍ରୀଙ୍କ ତାଲିକା ଅନୁଯାୟୀ ବିମାନରେ ଉପସ୍ଥିତ ଥିବା ଭାରତୀୟମାନଙ୍କ ମଧ୍ୟରେ ଅଶୋକ କୁମାର ତ୍ରିପାଠୀ, ତାଙ୍କ ସ୍ତ୍ରୀ ବୈଭବୀ ବୃନ୍ଦେକର ତ୍ରିପାଠୀ ଏବଂ ଶିଶୁ ଧନୁଷ ତ୍ରିପାଠୀ ଏବଂ ରିତିକା ତ୍ରିପାଠୀ ବୋଲି ଜଣାପଡିଛି। ଏହି ପରିବାର ମହାରାଷ୍ଟ୍ରର ଥାନେ ଜିଲାର ବାସିନ୍ଦା ବୋଲି ଜଣାପଡ଼ିଛି।

Share